ନୂଆଦିଲ୍ଲୀ,୨୭।୧: ଟାଟା ମୋଟର୍ସ ଶୁକ୍ରବାର ସମସ୍ତ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ ଏହାର ସମସ୍ତ ଆଇସିଇ(ପେଟ୍ରୋଲ-ଡିଜେଲ) ଚାଳିତ ଯାନର ମୂଲ୍ୟ ବୃଦ୍ଧି କରିବ। ଏହି ନୂତନ ମୂଲ୍ୟ ଫେବୃୟାରୀ ପହିଲାରୁ ଲାଗୁ ହେବ। ନିୟାମକ ପରିବର୍ତ୍ତନ ଏବଂ ଇନପୁଟ ମୂଲ୍ୟରେ ବୃଦ୍ଧି ହେତୁ ଯାନବାହନର ମୂଲ୍ୟ ବୃଦ୍ଧି କରାଯାଉଛି। ତେବେ କେଉଁ ମଡେଲର ମୂଲ୍ୟ କେତେ ବୃଦ୍ଧି କରାଯାଇଛି ତାହା କୁହାଯାଇ ନ ଥିବା ବେଳେ ଏହା ପ୍ରାୟ ୧.୨% ରହିବ। ବିଭିନ୍ନ ମଡେଲ ଏବଂ ଭ୍ୟାରିଆଣ୍ଟ ଲାଗି ଏହା ଭିନ୍ନ ରହିବ ବୋଲି କମ୍ପାନୀ କହିଛି।
କହିରଖୁଛୁ, ଟାଟା ମୋଟର୍ସ ପାସେଞ୍ଜର(ଯାତ୍ରୀବାହୀ) ବିଭାଗରେ ଦ୍ରୁତ ଗତିରେ ଏହାର ବିକ୍ରି ବଢ଼ାଉଛି। ଗତ ଡିସେମ୍ବରରେ କମ୍ପାନୀର ଲୋକପ୍ରିୟ ଏସ୍ୟୁଭି ଟାଟା ନେକ୍ସନ ଦେଶର ଚତୁର୍ଥ ସର୍ବୋତ୍ତମ କାର୍ ଥିଲା। ଏହି ସମୟ ମଧ୍ୟରେ କମ୍ପାନୀ ଏହି କାର୍ର ମୋଟ ୧୨,୦୫୩ ୟୁନିଟ୍ ବିକ୍ରି କରିଥିଲା। ଡିସେମ୍ବର ୨୦୨୨ରେ କମ୍ପାନୀ ୭୨,୯୯୭ ୟୁନିଟ ସହ ଘରୋଇ ବିକ୍ରିରେ ୧୦% ବୃ୍ଦ୍ଧି ହୋଇଥିବା ରିପୋର୍ଟ କରିଥିଲା।