Categories: ବାଣିଜ୍ୟ

ଟାଟା ମୋଟର୍ସର ପ୍ରିମିୟମ ଏସ୍‌ୟୁଭି ଅଲ୍‌ ନ୍ୟୁ ଟାଟା ହ୍ୟାରିୟରର ଅନାବରଣ

ଭୁବନେଶ୍ୱର, ୧୬।୧୧ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ଏସ୍‌ୟୁଭି ‘ଦି ଅଲ୍‌ ନ୍ୟୁ ଟାଟା ହ୍ୟାରିୟର’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର ସ୍ବୀକୃତିପ୍ରାପ୍ତ ଡିଲର ତୃପ୍ତି ମୋଟର୍ସ (ତୃପ୍ତି ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌) ର ବରମୁଣ୍ଡା ୟୁନିଟ୍‌ ପକ୍ଷରୁ ଗୁରୁବାର ଏକ ସ୍ବତନ୍ତ୍ର ଅନାବରଣ ଓ ଡେଲିଭରି ସେରିମନିର ଆୟୋଜନ କରାଯାଇଥିଲା।

ଉକ୍ତ ଉତ୍ସବରେ ଇଣ୍ଡିଆନ ଆଇଡଲ ଫେମ୍‌ ଡା. ରୋହନ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡ୍‌ର ଡେପୁଟି ଜେନେରାଲ ମ୍ୟାନେଜର ରିଜିଓନାଲ ସେଲ୍‌ସ ଏମ୍‌ଡି ସୋଏବଙ୍କ ସମେତ ତୃପ୍ତି ମୋଟର୍ସର ଏମ୍‌ଡି ବିମଳେନ୍ଦୁ ମହାନ୍ତି, ଡାଇରେକ୍ଟର ଶୁଭେନ୍ଦୁ ମହାନ୍ତି, ସିଇଓ ଡ. ରଞ୍ଜନ କୁମାର ମହାପାତ୍ର ଏବଂ ଜିଏମ୍‌ ବିକାଶ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଦି ଅଲ୍‌ ନ୍ୟୁ ଟାଟା ହ୍ୟାରିୟରରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ପ୍ରମୁଖ କି ଫିଚର ସାମିଲ ରହିଛି। ସେହିଭଳି ଶକ୍ତିଶାଳୀ ବିଏସ୍‌୬ ଇଞ୍ଜିନ ଏବଂ ବୃହତ୍‌ ତେଲଟାଙ୍କି ଓ ସ୍ପେସ୍‌ ଉପଲବ୍ଧ। ବିଶେଷକରି ୫ସିଟ୍‌ ବିଶିଷ୍ଟ ଏହି ପ୍ରିମିୟମ ଏସ୍‌ୟୁଭିରେ ଅନେକ ବୈଷୟିକ ଫିଚର ଓ ଆକର୍ଷଣୀୟ ଡିଜାଇନ ଗାଡ଼ିର ଚାହିଦାକୁ ଦ୍ୱିଗୁଣିତ କରିଛି। ଏପରିକି ଆକର୍ଷଣୀୟ ରଙ୍ଗ ଓ ସେଫ୍ଟି ଫିଚର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଛି ବୋଲି ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି।

Share