ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରିଲେ ୩ ପଞ୍ଚାୟତ ବାସିନ୍ଦା

ବେଗୁନିଆପଡ଼ା,୧୦ା୮(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତବାସୀ ଗୁରୁବାର କୋଦଳା ଟାଟା ପାଓ୍ବାର ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଦୈନିକ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌କାଟ୍‌ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ଅଧିବାସୀ।

ସୂଚନାନୁସାରେ, ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କାଳିମେଘି, ଘୋଡ଼ାପଡ଼ା ଓ ଚନ୍ଦନପୁର, ଟଭାବଣିଆ, ଜାନିବିଲି, ବାଇଦିପଡା, ରାଇପଡା ଆଦି ଗ୍ରାମରେ ମନଇଛା ବିଦ୍ୟୁତ୍‌ କାଟ୍‌ ହେଉଛି। ଦୈନିକ ୮ରୁ ୯ ଘଣ୍ଟା ବିଦ୍ୟୁତ୍‌କାଟ୍‌ ହେବା ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତିରେ ହିଂସ୍ରଜନ୍ତୁଙ୍କ ଭୟ ରହୁଛି। ଏଭଳି ଅଭିଯୋଗ କରି ଗୁରୁବାର ଉକ୍ତ ପଞ୍ଚାୟତରୁ  ଲୋକ କୋଦଳା ଟାଟା ପାଓ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଆଦିବାସୀ ନେତା ତଥା ଆବାହକ ବିଜୟ ସ୍ବାଇଁଙ୍କ ନେତୃତ୍ୱରେ ଉକ୍ତ ପଞ୍ଚାୟତଗୁଡ଼ିକରୁ ବହୁ ଅଧିବାସୀ ଆଜି ଏନେଇ ଦାବିପତ୍ର ପ୍ରଦାନ କରି ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛନ୍ତି। ଅଭିଯୋଗକୁ ନେଇ ୩ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ଯନ୍ତ୍ରୀ କିରନ କୁମାର। ଯଦି ପଦକ୍ଷେପ ନିଆ ନ ଯିବ ତେବେ ଆଗାମୀ ସପ୍ତାହରେ ଶହ ଶହ ଲୋକ ଏକତ୍ରିତ ହୋଇ କୋଦଳା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।