Categories: ବାଣିଜ୍ୟ

ଟାଟା ପାଓ୍ବାରର ‘ଟ୍ରେନ୍‌ ଟୁ ହାୟାର’

ଭୁବନେଶ୍ୱର,୨୮।୮: ଟାଟା ପାୱାରର ‘ଟ୍ରେନ୍‌ ଟୁ ହାୟାର’ କାର୍ଯ୍ୟକ୍ରମ ଅଧୀନରେ କମ୍ପାନୀ ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିବା ବେଳେ ଶିଳ୍ପକ୍ଷେତ୍ରରେ ଭବିଷ୍ୟତ ଗଠନ ପାଇଁ ଯୁବ ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ସଶକ୍ତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ଶୁଭାରମ୍ଭ କରିଛି। ୨୦୨୩ ଅଗଷ୍ଟ ୯ରେ ଟାଟା ପାୱାର ୱାର୍ଲଡ୍‌ ସ୍କିଲ୍‌ ସେଣ୍ଟର (ଡବ୍ଲ୍ୟୁଏସ୍‌ସି) ସହିତ ସହଯୋଗିତା ସ୍ଥାପନ କରିଥିଲା।

୨୦୨୩ ଅଗଷ୍ଟ ୮ର ଟାଟା ପାୱାର ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ ଆଣ୍ଡ୍‌ ରିସର୍ଚ୍ଚ (ଆଇଟିଇଆର୍‌) ସହ ସହଯୋଗିତା ସ୍ଥାପନ କରାଯାଇଥିଲାବେଳେ ୨୦୨୩ ଜୁଲାଇ ୨୨ରେ ଭୁବନେଶ୍ୱରର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଓ ସିଲିକନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏସ୍‌ଆଇଟି) ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା।

ସେହିଭଳି ୨୦୨୩ ଜୁଲାଇ ୧୪ରେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ସରାଙ୍ଗ ସହ ଟାଟା ପାୱାର ହାତ ମିଳାଇଥିଲା।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଯୁବବର୍ଗଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ କରି ବିଦ୍ୟୁତ୍‌ କ୍ଷେତ୍ରରେ ପ୍ରତିଭା ଦୃଶ୍ୟପଟକୁ ଆକାର ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଏହି ସହଯୋଗିତାଗୁଡ଼ିକ ଜରିଆରେ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଆମେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଶିଳ୍ପ ଲାଗି ତାଲିମପ୍ରାପ୍ତ ଶ୍ରମ ଶକ୍ତିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି ଟାଟା ପାୱାରର କ୍ଲଷ୍ଟର ମୁଖ୍ୟ, ବିଜ୍‌ନେସ୍‌ ଏଚ୍‌ଆର୍‌ (ଟି ଆଣ୍ଡ୍‌ ଡି) ସୁବୀର ବର୍ମା କହିଛନ୍ତି, ସ୍ବତନ୍ତ୍ର ମଡ୍ୟୁଲ୍‌, ବାସ୍ତବ ସମୟ ଲାଇଭ୍‌ ପ୍ରୋଜେକ୍ଟ, ଫାକଲ୍‌ଟି ଭାବେ ବରିଷ୍ଠ ପ୍ରବନ୍ଧକ ଓ ମେଣ୍ଟର ଆଦି ପ୍ରଦାନ କରି ଓଡ଼ିଶାର ସ୍ଥାନୀୟ ଶିକ୍ଷିତ ଯୁବବର୍ଗଙ୍କୁ ୬ ମାସରେ ଶିଳ୍ପ ପାଇଁ ପ୍ରସ୍ତୁତ କରିବାରେ ଆମ ବିଶେଷତାକୁ ଆମେ ବ୍ୟବହାର କରିବାକୁ ଚାହୁଁଛୁ।

 

Share