ଷଡ଼ଯନ୍ତ୍ର ଚାଲିଛି, ଫେରିଲେ ଗୁମର ଖୋଲିବି : ଆକାଶ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ପାସେଞ୍ଜର କାର୍‌ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଅଞ୍ଚଳର ବହୁ ଯୁବତୀଯୁବକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଟାଟା କମ୍ପାନୀ ପକ୍ଷରୁ ଆକାଶଙ୍କ ଚାକିରିକୁ ଅସ୍ବୀକାର କରାଯାଇଛି। ଆକାଶ ସେଠାରେ ଚାକିରି କରି ନ ଥିବା ନେଇ ଟାଟା ପକ୍ଷରୁ ସ୍ପଷ୍ଟ କରାଯାଇଥିବା ଶନିବାର ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତଦନ୍ତ ଅଧିକାରୀ ଭିଜିଲାନ୍ସ ଡିଏସ୍‌ପି ହରିଶଙ୍କର ପତି କହିଛନ୍ତି, ଆକାଶ ପାଠକ ଟାଟାରେ ଚାକିରି କରୁ ନ ଥିଲେ। ତାଙ୍କର ସବୁ ମିଛ ଧରାପଡିଯାଇଛି। ତାଙ୍କୁ ଆଉ ରିମାଣ୍ଡରେ ନେବାର କୌଣସି ଆବାଶ୍ୟକ ନାହିଁ। ତାଙ୍କ ବିରୋଧରେ ଅନେକ ପ୍ରମାଣ ମିଳିସାରିଥିବାବେଳେ ଓଡ଼ିଶା ବାହାରେ ବି ଟିମ୍‌ ତଦନ୍ତ ଜାରି ରଖିଛି। ବରଂ ସିଏ ଟାଟା ନଁାରେ ଠକେଇ, ଜାଲିଆତି ପ୍ରଭୃତି କରିଥିବା ପୂର୍ବରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଛି। ସ୍କାଏକିଙ୍ଗ୍‌ ଟ୍ରାଭେଲ୍‌ ଏଜେନ୍ସି ଟାଟାର ଭେଣ୍ଡର ନୁହେଁ କିମ୍ବା ଜିଏସ୍‌ଟି ବାବଦରେ କୌଣସି ଦେଣନେଣ କରି ନ ଥିବା ଟାଟା ପକ୍ଷରୁ ସ୍ପଷ୍ଟ କରାଯାଇଥିବା ସେ କହିଛନ୍ତି। ହେଲେ ଶନିବାର ରିମାଣ୍ଡ ଅବଧି ସାରି କୋର୍ଟକୁ ଯିବାବେଳେ ଆକାଶ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଟାଟାରେ ଚାକିରି କରୁଥିଲି। ସବୁ ପ୍ରମାଣ ତାଙ୍କ ପାଖରେ ଅଛି। ହେଲେ ଏବେ ଟାଟା ସପୋର୍ଟ କରୁନାହିଁ। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ବାହାରକୁ ଆସିଲା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଦେବି ବୋଲି ସେ କହିଛନ୍ତି।

Share