Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୩: ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍‌ ଆଣ୍ଡ୍‌ ମିନେରାଲ୍‌ସ ଡିଭିଜନ୍‌ (ଏଫ୍‌ଏଏମ୍‌ଡି) ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍‌ଇଏଆଇ)ର ଭୁବନେଶ୍ୱର-ସୁକିନ୍ଦା ଚାପ୍ଟର ପାଇଁ ‘ଭାରତୀୟ ଖଣି ଶିଳ୍ପର ଆହ୍ବାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା’ ଶୀର୍ଷକ ବିଷୟବସ୍ତୁ ସମ୍ପର୍କିତ ଏକ ଅଧିବେଶନ ନିକଟରେ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ନେତୃବୃନ୍ଦ, ବିଶେଷଜ୍ଞ ଓ ପେସାଦାରମାନେ ଯୋଗଦେଇ ଖଣି ଶିଳ୍ପର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଭାରତୀୟ ଖଣି ଶିଳ୍ପ ସାମ୍ନା କରୁଥିବା ଆହ୍ବାନଗୁଡ଼ିକୁ ଜାଣିବା ଏବଂ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିବା ଲକ୍ଷ୍ୟ ନେଇ ଆୟୋଜନ କରାଯାଇଥିବା ଏହି ଅଧିବେଶନରେ ଦେଶର ଖଣି ଦୃଶ୍ୟପଟକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା। ଅଂଶଗ୍ରହଣକାରୀ ମାନେ ଆଲୋଚନାରେ ଭାଗ ନେବା ସହ ଏହି କ୍ଷେତ୍ରର ଜଟିଳ ସମସ୍ୟାକୁ ଦୂର କରିବା ଲାଗି ଅଭିନବ ସମାଧାନ ଓ ରଣନୀତି ବିଷୟରେ ଚର୍ଚ୍ଚା କରିଥିଲେ। ଏହି ଅଧିବେଶନରେ ଅଧ୍ୟକ୍ଷତା କରି ଏମ୍‌ଇଏଆଇର ସଭାପତି ଏସ୍‌ ଏନ୍‌ ମାଥୁର କହିଛନ୍ତି, ଭାରତୀୟ ଖଣି ଶିଳ୍ପ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା ପାଇଁ ସହଯୋଗ ଏବଂ ଏହାର ସମାଧାନ କରିବା ପାଇଁ ଏମ୍‌ଇଏଆଇ ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରର ଅଧ୍ୟକ୍ଷ (ଏମ୍‌ଇଏଆଇ) ତଥା ଟାଟା ଷ୍ଟିଲ୍‌ ଏଫ୍‌ଏଏମ୍‌ଡିର କାର୍ଯ୍ୟନିର୍ବାହୀ ପ୍ରଭାରୀ ପଙ୍କଜ ସତିଜା କହିଛନ୍ତି, ଶ୍ରେଷ୍ଠ ଅଭ୍ୟାସର ପ୍ରସାର, ନୈତିକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେଇ ଖଣି ସୁରକ୍ଷାରେ ଉନ୍ନତି ଆଣିବା ପାଇଁ ଏମ୍‌ଇଏଆଇ ପ୍ରତିଶ୍ରୁତିବଦ୍ଧ । ଖଣି ପେସାଦାରଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ଏବଂ ଖଣି ଶିଳ୍ପରେ ଦାୟିତ୍ୱପୂର୍ଣ୍ଣ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସମର୍ପିତ । କାର୍ଯ୍ୟକ୍ରମରେ ଏମ୍‌ଇଏଆଇର ଉପାଧ୍ୟକ୍ଷ ସୁଧାଂଶୁ ପଟ୍‌ନୀ, ସମ୍ପାଦକ ଶମ୍ଭୁନାଥ ଝା, ଯୁଗ୍ମ ସମ୍ପାଦକ ତଥା କୋଷାଧ୍ୟକ୍ଷ ଆରଏସ୍‌ ରଘୁବଂଶୀ, ଏବି ପାଣିଗ୍ରାହୀ, ଆର୍‌ଏନ୍‌ ପ୍ରହରାଜ, ଏମ୍‌ ମୁଥୁକୁମାରୀ, ଶିବରାମ, ଅମିତ ଦୁବେ, ଦେବରାଜ ତିୱାରୀ, ନୀଳାଦ୍ରି ଭଟ୍ଟାଚାର୍ଯ୍ୟଙ୍କ ଭଳି ବିଶିଷ୍ଟ ମାଇନିଂ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।

Share