Categories: ବାଣିଜ୍ୟ

ଟିଏସ୍‌ଏମ୍‌ଏଲ୍‌କୁ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୧୮।୬: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ତଥା ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ମାନ୍ୟତା ପ୍ରଦାନ କରାଯାଇଛି। ବିଶେଷକରି ପରିବେଶ ସଂରକ୍ଷଣ ଓ ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଟିଏସ୍‌ଏମ୍‌ଏଲ୍‌କୁ ‘କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର’ରେ ପୁରସ୍କୃତ କରାଯାଇଛି। ଶନିବାର ଏକ ୫ ତାରକା ହୋଟେଲରେ ଆୟୋଜିତ ସ୍ବତନ୍ତ୍ର ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଟିଏସ୍‌ଏମ୍‌ଏଲ୍‌କୁ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର ଦିଆଯାଇଛି। ସେହିଭଳି ୨୦୨୨ ବର୍ଷର ପ୍ରଦର୍ଶନ ପାଇଁ ୫ ତାରକା ବର୍ଗରେ କମ୍ପାନୀ ଉପରୋକ୍ତ ପୁରସ୍କାର ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୱାଲିଟି ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍‌ (ଆଇକ୍ୟୁଇଏମ୍‌ଏସ୍‌) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ପକ୍ଷରୁ ମିଳିତ ଭାବେ ଆୟୋଜିତ ଦୀର୍ଘସ୍ଥାୟୀ ପରିବେଶ ଓ ଜଳବାୟୁ ପରିବର୍ତ୍ତନ-୨୦୨୩ ଶୀର୍ଷକ ୮ମ ଜାତୀୟ ସେମିନାରର ଉଦ୍‌ଘାଟନୀ ତଥା ପୁରସ୍କାର ବିତରଣ ସମାରୋହରେ କମ୍ପାନୀକୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଏହି ସେମିନାର ଆୟୋଜନ କରିବା ଏବଂ ଶ୍ରେଷ୍ଠ ପ୍ରଥାକୁ ବାଣ୍ଟିିବା ସହ ପରସ୍ପରଠାରୁ ଶିଖିବା ଲାଗି ଶିଳ୍ପକୁ ଏକ ମଞ୍ଚ ପ୍ରଦାନ କରିଥିବାରୁ ମୁଁ ଆଇକ୍ୟୁଇଏମ୍‌ଏସ୍‌ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶାକୁ ଧନ୍ୟବାଦ ଜଣାଉଛି। ଏପରିକି ଟାଟା ଷ୍ଟିଲ୍‌ ମାଇନିଂକୁ ପ୍ରଦାନ କରାଯାଇଥିବା ଉକ୍ତ ମାନ୍ୟତା ଆମକୁ ଏକ ସବୁଜ ଓ ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ କରିବା ଲାଗି ଆମ ଉଦ୍ୟମକୁ ଆଗକୁ ବଢ଼ାଇବାରେ ଉତ୍ସାହିତ କରିବ।

Share