Categories: ବାଣିଜ୍ୟ

ଆଇଓସିଏଲ୍‌ ସହ ଟାଟା ଷ୍ଟିଲର ବୁଝାମଣା

ଭୁବନେଶ୍ୱର,୨।୧୦: ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ଏବଂ ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍‌ ଆଣ୍ଡ୍‌ ମିନେରାଲ୍‌ ଡିଭିଜନ (ଏଫ୍‌ଏଏମ୍‌ଡି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷ କରି ଟାଟା ଷ୍ଟିଲର ଫେରୋ ଆଲଏଜ୍‌ କାରଖାନାଗୁଡ଼ିକରେ କାର୍ବନ ଫୁଟ୍‌ପ୍ରିଣ୍ଟକୁ କମ୍‌ କରିବା ଲକ୍ଷ୍ୟରେ ଉକ୍ତ ବୁଝାମଣା ସ୍ବାକ୍ଷର ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ଗଞ୍ଜାମ ଜିଲାର ଗୋପାଳପୁର ଓ କଟକ ଜିଲାର ଆଠଗଡ଼ଠାରେ ଥିବା ଟାଟା ଷ୍ଟିଲର ଫେରୋ ଆଲଏଜ୍‌ କାରଖାନାକୁ ଆଇଓସିଏଲ୍‌ ଏଲ୍‌ପିଜି ଯୋଗାଇଦେବ।

ଏପରିକି କମ୍ପାନୀ ପରିସରରେ ଆଇଓସିଏଲ ଏଲ୍‌ପିଜି ବ୍ୟବସ୍ଥା ସ୍ଥାପନ କରିବ ଏବଂ ତା’ର ପରିଚାଳନା ଓ ରକ୍ଷଣାବେକ୍ଷଣ ମଧ୍ୟ କରିବ। ସାଂପ୍ରତିକ ପରିବେଶ ଚିନ୍ତା ଓ କାର୍ବନ ନିର୍ଗମନ ହ୍ରାସ କରିବା ଲାଗି ବିଶ୍ୱସ୍ତରରେ ରହିଥିବା ଆବଶ୍ୟକତା ପ୍ରତି ପ୍ରତିକ୍ରିୟା ସ୍ବରୂପ, ଫର୍ନେସ୍‌ ତୈଳ ଓ ହାଇ-ସ୍ପିଡ୍‌ ଡିଜେଲ୍‌ରୁ ଅଧିକ ଦୀର୍ଘସ୍ଥାୟୀ ଇନ୍ଧନ ବିକଳ୍ପ-ଲିକ୍ୱିଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ଆଡ଼କୁ ପରିବର୍ତ୍ତିତ ହେବାକୁ ଟାଟା ଷ୍ଟିଲ୍‌ ନିଷ୍ପତ୍ତି ଗ୍ରହଣ କରିଛି, କମ୍ପାନୀର ଏହି ପରିବେଶ ସୁରକ୍ଷା ପଦକ୍ଷେପ କାର୍ବନ ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବ।

ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଇନ୍‌-ଚାର୍ଜ ପଙ୍କଜ ସତିଜା କହିଛନ୍ତି, ଆମ ଦୀର୍ଘସ୍ଥାୟୀ ଅଭିଯାନର ଅଂଶ ଭାବେ ଉକ୍ତ ବୁଝାମଣା କାରଖାନାଗୁଡ଼ିକରେ କାର୍ବନ ଫୁଟ୍‌ପ୍ରିଣ୍ଟ୍‌କୁ ହ୍ରାସ କରିବାରେ ସହାୟକ ହେବ।

Share