Categories: ଜାତୀୟ

ହତ୍ୟାକାରୀଙ୍କୁ ଧରାପକାଇ ଦେଲା ଟାଟୁ

ଥାଣେ,୧୬।୯: ନବି ମୁମ୍ବାଇରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବାର ଦିନକ ପରେ ଟାଟୁ କାରଣରୁ ମୃତକଙ୍କ ପରିଚୟ ମିଳିଛି। କଟା ହାତରେ ଥିବା ଟାଟୁ ସହାୟତାରେ ଅଭିଯୁକ୍ତଙ୍କୁ ହତ୍ୟା ପାଇଁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ଗୁରୁବାର କୁହାଯାଇଛି। ଅଭିଯୁକ୍ତ ସୁମିତକୁମାର ହରିଶକୁମାର ଚୌହାନ (୨୭) ରବୀନ୍ଦ୍ର ରମେଶ ମୋନ୍‌ଦୋତିୟା (୩୦)ଙ୍କୁ ନିର୍ମମ ଭାବେ ହତ୍ୟା କରିବା କରିଥିଲେ। ତା’ ପରେ ମୃତଦେହକୁ କାଟି କିଛି ଦିନ ତଳେ ପକାଇ ଦେଇଥିଲେ ନବି ମୁମ୍ବାଇରେ।

ନବି ମୁମ୍ବାଇର ବରିଷ୍ଠ ପୋଲିସ ଅଧିକାରୀ ବିପିନ କୁମାର ସିଂ ଗଣମାଧ୍ୟମକୁ କହିଛନ୍ତି, ଗତ ୧୨ ତାରିଖରେ ନବି ମୁମ୍ବାଇର ବାଶି ଏପିଏମ୍‌ସି ଅଞ୍ଚଳରୁ ମିଳିଥିଲା ଦୁଇ ହାତ, ଗୋଡ଼ ସମେତ ଶରୀରର ବିଭିନ୍ନ କଟା ଅଙ୍ଗ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ। ମୁଣ୍ଡ ନ ମିଳିବାରୁ ପୋଲିସ ପାଇଁ ପୀଡ଼ିତଙ୍କ ପରିଚୟ ଜାଣିବା ସହଜ ନ ଥିଲା। ମୃତକଙ୍କ କଟା ହାତରେ ଥିଲା ଦୁଇଟି ଟାଟୁ। ଗୋଟିଏରେ ‘ରବୀନ୍ଦ୍ର’ ନାମ ଲେଖାଥିଲା ବେଳେ ଅନ୍ୟଟି ଥିଲା ଭଗବାନ ହନୁମାନଙ୍କ ଚିତ୍ର। ମୃତକଙ୍କ ପରିଚୟ, ଶରୀରର ଅନ୍ୟ ଅଙ୍ଗ ଖୋଜିବା ଓ ହତ୍ୟାକାରୀଙ୍କୁ ଧରିବା ଆମ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା। ମୃତକଙ୍କ ପରିଚୟ ଜାଣିବା ପାଇଁ ଗଠନ କରାଯାଇଥିଲା ପୋଲିସ ଟିମ୍‌।

ପୋଲିସ ଦଳକୁ ଥାଣେ, ରାଇଗଡ଼, ମୁମ୍ବାଇ ଓ ନବି ମୁମ୍ବାଇ ପଠାଯାଇଥିଲା। ୧୦୦ ନିଖୋଜ ବ୍ୟକ୍ତିଙ୍କ ସହ ମୃତଦେହର ତଥ୍ୟକୁ ତୁଳନା କରାଯାଇଥିଲା। ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ରବୀନ୍ଦ୍ର ମାନଦୋତିୟା ନାମକ ଜଣେ ସୁଇପର ନିଖୋଜ ଥିବା ଘଟଣା। ଏ ନେଇ କୋପାଖଇର୍ନେ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାରବର୍ଗ। ଅଭିଯୋଗକାରୀ ମୃତଦେହ ଚିହ୍ନଟ କରିବା ପରେ ସିସିଟିଭି ସମେତ ବିଭିନ୍ନ ଦିଗରେ ତଦନ୍ତ କରି ଅଭିଯୁକ୍ତ ଚୌହାନଙ୍କୁ ଧରିଥିଲା ପୋଲିସ।

ପଚରାଉଚୁରା ବେଳେ ପୀଡ଼ିତଙ୍କ ସହ ଟଙ୍କାକୁ ବିବାଦ ଥିବା ଚୌହାନ କହିଥିଲେ। ଏଥିଯୋଗୁ ଗତ ୯ ତାରିଖରେ ରବୀନ୍ଦ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ କାଟି ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଏପିଏମ୍‌ସି ଅଞ୍ଚଳରେ ଫିଙ୍ଗି ଦେଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Share