ଜନପ୍ରିୟ ଯୋଜନା ନୁହେଁ, ଟିକସ ଛାଡ଼

ଡ. ସନ୍ତୋଷ କୁମାର ମହାପାତ୍ର

ନିକଟରେ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଦେଶର କେତେଜଣ ବରିଷ୍ଠ ଆଇଏଏସ୍‌ ଅଫିସର ମାଗଣା ବଣ୍ଟନ ଯୋଜନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଭୋଟ ପାଇଁ କିଛି ରାଜ୍ୟ ସରକାର ଯେଉଁ ମାଗଣା ବଣ୍ଟନ ଯୋଜନା କରୁଛନ୍ତି, ତାହା ସେହି ରାଜ୍ୟଗୁଡ଼ିକ ପାଇଁ ବଡ଼ଧରଣର ଆର୍ଥିକ ସଂକଟ ସୃଷ୍ଟି କରିପାରେ ବୋଲି ସେମାନେ କହିଛନ୍ତି।
ଏପରିକି ରାଜ୍ୟଗୁଡ଼ିକର ସ୍ଥିତି ଶ୍ରୀଲଙ୍କା ଓ ଗ୍ରୀସ୍‌ ଭଳି ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି। କେନ୍ଦ୍ର ତଥା ସବୁ ରାଜ୍ୟ ଏହିପରି ଯୋଜନା ଅଳ୍ପବହୁତେ କାର୍ଯ୍ୟକାରୀ କରୁଛନ୍ତି। ସଦ୍ୟ ସମାପ୍ତ ଉତ୍ତରପ୍ରଦେଶ ଓ ଗୋଆ ବିଧାନସଭା ନିର୍ବାଚନ ବେଳେ ଭାଜପା ମାଗଣା ଏଲ୍‌ପିଜି ଓ ଲୋଭନୀୟ ଘୋଷଣା କରି ଶାସନ ଗାଦିକୁ ଫେରିଛି। କେନ୍ଦ୍ର ସରକାର ମଧ୍ୟ ଉଜ୍ଜ୍ୱଳା ଏବଂ ପିଏମ୍‌ କିଷାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଆଇଏଏସ୍‌ ଅଫିସରମାନେ ୫ଟି ଅଣଭାଜପା ଶାସିତ ରାଜ୍ୟ ଯଥା ପଞ୍ଜାବ, ଦିଲ୍ଲୀ, ତେଲଙ୍ଗାନ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ନାଁ ନେଲାବେଳେ ଭାଜପା ଶାସିତ ରାଜ୍ୟ ସମ୍ପର୍କରେ ନୀରବ ଥିଲେ। ଏଣୁ ସେମାନଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି। ସତ୍ୟ ହେଉଛି ଦିଲ୍ଲୀ ଓ ନିକଟରେ ପଞ୍ଜାବରେ ଆପ୍‌ ସରକାର ଗଠନ ପରେ ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନରେ ଆପ୍‌ ଭାଜପାର ଏକ ମୁଖ୍ୟ ପ୍ରତଦ୍ୱନ୍ଦ୍ୱୀ ହେବାକୁ ଯାଉଛି। ଏଣୁ ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ଆପ୍‌କୁ ବେଶି ଟାର୍ଗେଟ କରି ଏହା କୁହାଯାଇଛି।
ଆମର ଶୋଷଣଭିତ୍ତିକ ଶାସନ ବ୍ୟବସ୍ଥା, ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ପ୍ରତିଗାମୀ ଟିକସ ବ୍ୟବସ୍ଥା ଯୋଗୁ ଦାରିଦ୍ର୍ୟ, ବୈଷମ୍ୟ, କ୍ଷୁଧା ଓ ବେକାରି ଅଧିକ ତୀବ୍ରତର ହେବାରୁ ଏପରି ଯୋଜନାର ଗୁରୁତ୍ୱ ବୃଦ୍ଧି ପାଇଛି। କିନ୍ତୁ ଏହି ଯୋଜନା ଯେପରି ଲୋକଙ୍କୁ ଅଳସୁଆ ନ କରେ ବା ତାଙ୍କର ଉତ୍ପାଦିକତା ହ୍ରାସ ନ କରେ ତାହା ପ୍ରତି ଧ୍ୟାନ ଦେବା ଉଚିତ। ଅବଶ୍ୟ ମାଗଣା ଶିକ୍ଷା, ସାସ୍ଥ୍ୟ ସର୍ବପ୍ରଥମେ ଗୁରୁତ୍ୱ ପାଇବା ଉଚିତ। ରାଜ୍ୟଗୁଡ଼ିକ କେମିତି ଓ କେଉଁ କ୍ଷେତ୍ରରେ ବ୍ୟୟ କରିବେ ତାହା ତାଙ୍କର ନିଜସ୍ବ କ୍ଷମତାର ପରିସର। କିନ୍ତୁ କେନ୍ଦ୍ର ସ୍ଥିର କରିଥିବା ବିତ୍ତୀୟଶୃଙ୍ଖଳା ମାନିବା ଉଚିତ।
ପ୍ରାୟ ଅଧିକାଂଶ ରାଜ୍ୟ ମାନୁଛନ୍ତି। ରାଜ୍ୟଗୁଡ଼ିକର ମୋଟ ଋଣ- ଜିଏସ୍‌ ଅନୁପାତ ୨୦ ରୁ୨୫ ପ୍ରତିଶତ ମଧ୍ୟରେ ରହିବା କଥା , କିନ୍ତୁ ବର୍ତ୍ତମାନ ୨୬ ପ୍ରତିଶତ ପାଖାପାଖି ରହିଛି। ଅପରପକ୍ଷରେ କେନ୍ଦ୍ରର ଆର୍ଥିକ ସ୍ଥିତି ସଙ୍କଟରେ। ଏହାର ଋଣ- ଜି ଅନୁପାତ ୪୦ ରୁ ୪୫ପ୍ରତିଶତ ମଧ୍ୟରେ ରହିବା କଥା, କିନ୍ତୁ ଏହା ୨୦୧୬-୧୭ ରେ ୪୯.୪ପ୍ରତିଶତ ଥିଲାବେଳେ ୨୦୨୦-୨୧ରେ ୬୩.୯ପ୍ରତିଶତ ପାଖାପାଖି ପହଞ୍ଚିଛି। କେନ୍ଦ୍ର ସେସ୍‌ ଓ ସରଚାର୍ଜ ଅଧିକ ସମ୍ବଳ ସଂଗ୍ରହ କରୁଥିବାରୁ ରାଜ୍ୟଗୁଡ଼ିକର କିଛି ଅଂଶ ସେଥିରେ ରହୁନାହିଁ।
ଶ୍ରୀଲଙ୍କାର ସମସ୍ୟା ମାଗଣାରେ କିଛି ଯୋଗାଇଦେବା ଯୋଗୁ ନୁହେଁ। ଶ୍ରୀଲଙ୍କାର ସମସ୍ୟା ହେଉଛି ନେଣଦେଣ ବାଲାନ୍ସ ପେମେଣ୍ଟ ସଙ୍କଟ ଯୋଗୁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ ପଦାର୍ଥ ଓ ତୈଳ ଆମଦାନୀ କରିବା ପାଇଁ ଏବଂ ବୈଦେଶିକ ଋଣ ଶୁଝିବା ପାଇଁ ବୈଦେଶିକ ମୁଦ୍ରା ନାହିଁ। ମହାମାରୀ ଯୋଗୁ ରପ୍ତାନି ହ୍ରାସ ଘଟି ବୈଦେଶିକ ମୁଦ୍ରା ମଧ୍ୟ ହ୍ରାସ ପାଇଛି। ଶ୍ରୀଲଙ୍କାର ସଙ୍କଟ ଅନ୍ୟ କାରଣ ହେଲା ଏହା ବିଭିନ୍ନ ଟିକସ ଅହେତୁକ ହ୍ରାସ କରିବା, ଟିକସ ଛାଡ଼ ସୀମା ବୃଦ୍ଧି କରିବା। ଫଳରେ ୨୦୧୯ରେ ୩୩.୫ଲକ୍ଷ ଟିକସଦାତା ଟିକସ ଦେବା ପରିସରରୁ ବାହାରକୁ ଚାଲି ଆସିବା ସହିତ ଟିକସ-ଜି ଅନୁପାତ ୨ ପ୍ରତିଶତ ହ୍ରାସ ପାଇଥିଲା। ମହାମାରୀ ଯୋଗୁ ଋଣ-ଜିଡିପି ଅନୁପାତ ୨୦୧୯ରେ ଯାହା ୯୪ପ୍ରତିଶତ ଥିଲା ତାହା ୨୦୨୧ରେ ୧୧୯ପ୍ରତିଶତକୁ ବୃଦ୍ଧି ପାଇଥିଲା। ଅର୍ଗାନିକ ଫାର୍ମିଙ୍ଗକୁ ଗୁରୁତ୍ୱଦେଇ ସାର ଆମଦାନୀ ବନ୍ଦ କରିବା ଯୋଗୁ କୃଷି ଉତ୍ପାଦନ ହ୍ରାସପାଇ ଭୟାନକ ଅଭାବ ଦେଖାଦେଲା ଏବଂ ମୁଦ୍ରାସ୍ଫୀତି ଫେବୃୟରୀ୨୦୨୨ରେ ୧୭.୫ପ୍ରତିଶତରେ ପହଞ୍ଚିଲା।
ବାସ୍ତବରେ ସମସ୍ୟା ନୁହେଁ କେତେ ଅଧିକ ବ୍ୟୟ କରୁଛେ ବା କେତେ ଜନପ୍ରିୟ ଯୋଜନା କରୁଛେ ବା ଜିନିଷ ମାଗଣାରେ ଦେଉଛେ। ପ୍ରଶ୍ନ ହେଉଛି ଏପରି ଯୋଜନାରେ କିଏ ଲାଭବାନ ହେଉଛନ୍ତି ଏବଂ ବ୍ୟୟ ପାଇଁ ଆବଶ୍ୟକ ସମ୍ବଳ ସୃଷ୍ଟି କରାଯାଉଛି କି ନାହିଁ। ଆମ ଦେଶରେ ଆର୍ଥିକ ସଂସ୍କାର କାର୍ଯ୍ୟକାରୀ ହେବା ପରଠାରୁ ଆlମେ ଜନତାଙ୍କୁ କିଛି ରିହାତି ଦେଲେ ବା ଜିନିଷ ମାଗଣାରେ ଦେଲେ (ଫ୍ରିବିଜ), କିଛି ଜନପ୍ରିୟ ଯୋଜନା (ପପୁଲିଷ୍ଟ ସ୍କିମ୍ସ) କଲେ । ତାହାକୁ ଦେଶ ଓ ଆର୍ଥିକ ସଂସ୍କାରବିରୋଧୀ ଭାବେ ଦର୍ଶାଯାଉଛି; କିନ୍ତୁ ଧନୀ, କର୍ପୋରେଟ, ପୁଞ୍ଜିପତିମାନଙ୍କୁ ରିହାତି ଦେଲେ, ଟିକସ ଛାଡ଼ କଲେ ତାହା ସଂସ୍କାରଧର୍ମୀ, ଅର୍ଥନୀତି ପାଇଁ ହିତକାରୀ ବୋଲି ପ୍ରଚାର କରାଯାଉଛି। ରାଷ୍ଟ୍ରାୟତ୍ତ ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ତଥା ଅତ୍ୟାବଶ୍ୟକ ସେବାର ଘରୋଇକରଣ କରିବାକୁ ସ୍ବାଗତ କରାଯାଉଛି। କିନ୍ତୁ ଯଦି କର୍ପୋରେଟ, ଧନିକଙ୍କ ସ୍ବାର୍ଥ ପାଇଁ ସରକାର ଟିକସ ହ୍ରାସ କଲେ, ନିୟମ କୋହଳ କଲେ, ଶସ୍ତାରେ ଖଣିଜ ସମ୍ପଦ ଯୋଗାଇଦେଲେ ସ୍ବାଗତ କରାଯାଉଛି ଏବଂ ତାହା ସଂସ୍କାରଧର୍ମୀ ବୋଲି ପ୍ରଚାର କରାଯାଉଛି l
ଆମ ଦେଶରେ ସମସ୍ୟା ହେଉଛି ଟିକସ ଫାଙ୍କି ଏବଂ ଟିକସ ଧନୀ ଓ କର୍ପୋରେଟଙ୍କଠାରୁ ଠିକ୍‌ ଭାବେ ଆଦାୟ ନ ହେବା। ଚିନ୍ତାର ବିଷୟ ହେଉଛି ଜିଡିପି ଅନୁସାରେ ଟିକସ ଆଦାୟ ଆମ ଦେଶରେ ପ୍ରାୟ ସର୍ବନିମ୍ନ (୧୦ରୁ ୧୧ ପ୍ରତିଶତ)। ମୂଳରୁ ୨୦୨୦-୨୧ପର୍ଯ୍ୟନ୍ତ ଯେତିକି ଟିକସ ଆଦାୟ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା, ସେଥିରୁ ୧୬.୧୯ଲକ୍ଷ କୋଟି ଟଙ୍କା ଏପର୍ଯ୍ୟନ୍ତ ଆଦାୟ ହୋଇନାହିଁ ବା ବିବାଦ ଘେରରେ ରହିଛି। ଭାରତରେ କର୍ପୋରେଟ ଓ ବ୍ୟକ୍ତିଗତ କରର ସର୍ବାଧିକ ହାର ବହୁତ କମ୍‌, ଯାହାଫଳରେ ଧନୀ, ଶିଳ୍ପପତି କମ୍‌ ହାରରେ ଟିକସ ଦେଉଛନ୍ତି। ୨୦୧୯ରେ ଭାରତ ସରକାର କର୍ପୋରେଟ ଟିକସ ହ୍ରାସ କରିଥିଲେ। ଏହି ହ୍ରାସ ଯୋଗୁ ସେହିବର୍ଷ ସରକାର ୧.୪୫ ଲକ୍ଷ କୋଟି ଟଙ୍କା ରାଜସ୍ବ ହରାଇଥିଲେ ଏବଂ ହରାଇବା ପରିମାଣ ପ୍ରତିବର୍ଷ ବୃଦ୍ଧି ପାଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଜଣେ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ହାରରେ ଟିକସ ଦେଲାବେଳେ ଶହଶହ କୋଟି ବା ସ୍ବଳ୍ପ ସମୟରେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି କିମ୍ବା ସେଲିବ୍ରିଟିମାନେ ସେହି ହାରରେ ଟିକସ ଦେଉଛନ୍ତି। ଲକ୍ସେମବର୍ଗ, ସୁଇଜରଲାଣ୍ଡ, ନରୱେ, ସ୍ପେନ୍‌, ବେଲଜିୟମ, ହଙ୍ଗେରୀ, ଫ୍ରାନ୍ସ, କାନାଡ଼ା, ଜର୍ମାନୀରେ ସମ୍ପଦ କର ରହିଛି , କିନ୍ତୁ ଭାରତରେ ସମ୍ପଦ କର ଉଚ୍ଛେଦ କରାଯାଇଛି। ସେହିପରି ଆମେରିକା, ବେଲଜିୟମ, ଡେନମାର୍କ, ବ୍ରାଜିଲ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ବ୍ରିଟେନ, ସ୍ବିଡେନ, ଜାପାନ, ସୁଇଜରଲାଣ୍ଡ, ସ୍ପେନ୍‌ ଆଦି୨୦ଟି ଦେଶରେ ଉତ୍ତରାଧିକାରୀ କର ଭିନ୍ନ ରୂପରେ ରହିଛି। କିନ୍ତୁ ୧୯୮୫ରେ ଇଷ୍ଟେଟ/ଉତ୍ତରାଧିକାରୀ କର ଉଚ୍ଛେଦ କରାଯାଇଛି। ଏହାର ଅର୍ଥ ଧନୀକୁ ଟିକସ ସବ୍‌ସିଡି ପରୋକ୍ଷରେ ଦେବା।
ଅପରପକ୍ଷରେ ବ୍ୟାଙ୍କ ଜାଲିଆତି; ଧନୀ, କର୍ପୋରେଟ ଋଣ ନ ଶୁଝିବା ଯୋଗୁ ଲକ୍ଷ ଲକ୍ଷ କୋଟି ଋଣ ରାଇଟ୍‌ ଅଫ୍‌ ଏବଂ ଛାଡ କରିବା; ହଜାର କୋଟି କଳା ଟଙ୍କା ଦେଶର ଯାଇ ବିଦେଶରେ ଟିକସ ଭୂସର୍ଗ ଲୁକ୍କାୟିତ ଭାବେ ରହିବା ସମ୍ବଳ ଅଭାବର କାରଣ ହୋଇଛି। ମହାମାରୀ ସମୟରେ ଅରବପତି ବା ଅତି ଧନୀ ବ୍ୟକ୍ତିବିଶେଙ୍କ ସମ୍ପଦ ୨୩.୧୪ ଲକ୍ଷ କୋଟି ଟଙ୍କାରୁ ୫୩.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା, କେବଳ ୩ ଜଣ ଅରବପତିଙ୍କ ସମ୍ପଦ ୩ ମାସରେ୨୧ବିଲିୟନ ଡଲାର, ବିଶେଷକରି ଆଦାନିର ସମ୍ପଦ ସପ୍ତାହରେ ୬୦୦୦ କୋଟି ଟଙ୍କା ବୃଦ୍ଧିପାଇବା ସତ୍ତ୍ୱେ ସେହି ବୃଦ୍ଧି ଉପରେ ଟିକସ ବୃଦ୍ଧି ନ କରି ଗରିବଙ୍କୁ ବାଧୁଥିବା ପରୋକ୍ଷ କର ବୃଦ୍ଧି କରାଯାଇଛି। ବିଶେଷକରି ଇନ୍ଧନ ବାବଦରେ ଅଧିକ ଟିକସ ଆଦାୟ କରିବା ଚିନ୍ତାଜନକ। କେବଳ ପେଟ୍ରୋଲିୟମ ଦ୍ରବ୍ୟରୁ ଟିକସ ବାବଦରେ ୨୦୨୦-୨୧ରେ କେନ୍ଦ୍ର ୪.୫୫ ଲକ୍ଷ କୋଟି ଟଙ୍କା ପାଇଲା ବେଳେ, ରାଜ୍ୟଗୁଡ଼ିକ ୨.୧୭ ଲକ୍ଷ କୋଟି ଟଙ୍କା ପାଇଛନ୍ତି। ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ କେନ୍ଦ୍ର ପାଇଛି ୨୬.୫୨ଲକ୍ଷ କୋଟି ଟଙ୍କା। କିନ୍ତୁ ଏହାର ବୋଝ ପଡ଼ିଛି ସାଧାରଣ ଜନତାଙ୍କ ଉପରେ। ୫ଟି ରାଜ୍ୟର ନିର୍ବାଚନକୁ ଅନେକ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନ କରି, ନିର୍ବାଚନ ପରେ ୧୫ ଦିନରେ ପେଟ୍ରୋଲ ଓ ଡିଜେଲ ଦରରେ ୧୩ ଥର ବୃଦ୍ଧି କରିବା କେଉଁ ବିତ୍ତୀୟ ନୀତିର ଅଂଶ। ସବୁଠାରୁ ଚିନ୍ତାଜନକ ଶିକ୍ଷା, ସ୍ବାସ୍ଥ୍ୟର ଘରୋଇକରଣ ହେବା। ଏହା ଅତ୍ୟଧିକ ବ୍ୟୟ ସାପେକ୍ଷ ହେବାବେଳେ କେନ୍ଦ୍ରର ବ୍ୟୟ ଜିଡିପି ଅନୁସାରେ ବିଶ୍ବରେ ବହୁତ ନିମ୍ନରେ ରହିବା ମଧ୍ୟ ଚିନ୍ତାଜନକ। ପୁନଶ୍ଚ ସଞ୍ଚୟ ଉପରେ ସୁଧହାର ହ୍ରାସ ପାଇବା ଏବଂ ମୁଦ୍ରାସ୍ଫୀତି ଓ ଟିକସକୁ ବିଚାରକୁ ନେଲେ ବିଯୁକ୍ତାତ୍ମକ ହେବା ଚିନ୍ତାଜନକ। ଧନୀ, କର୍ପୋରେଟମାନେ ଆୟ ଅନୁସାରେ କମ୍‌ ଟିକସ ଦେଲାବେଳେ ଅଧିକ ରିହାତି ପାଉଛନ୍ତି, ଟିକସ ଫାଙ୍କୁଛନ୍ତି। କିନ୍ତୁ ଗରିବ, ସାଧାରଣ ଜନତା ଆୟ ଅନୁସାରେ ଅଧିକ ଟିକସ ଦେଲାବେଳେ କମ୍‌ ସୁବିଧା ପାଉଛନ୍ତି। ଏହା କାହିଁକି ଆଇଏଏସ୍‌ ଅଫିସର୍‌ମାନଙ୍କୁ ବ୍ୟଥିତ କରୁନି।
ମୋ-୯୪୩୭୨୦୮୭୬୨