Categories: ବାଣିଜ୍ୟ

ଟିକସ ରାଜସ୍ବ ବଢ଼ିବ

ନୂଆଦିଲ୍ଲୀ,୧୨।୮:  ଚଳିତ ଆର୍ଥତ୍କ ବର୍ଷରେ ଟିକସ ରାଜସ୍ବ ଆଶାତୀତ ବୃଦ୍ଧି ହୋଇପାରେ। କର୍ପୋରେଟ କ୍ଷେତ୍ରର ପର୍‌ଫର୍‌ମାନ୍ସ ଆଶାଠାରୁ ଉନ୍ନତ ରହିଥିବାରୁ ସରକାରଙ୍କ ଟିକସ ସଂଗ୍ରହ ଉନ୍ନତ ହେବା ନେଇ ଆଶା ରହିଥିବା ରାଜସ୍ବ ସଚିବ ତରୁନ ବଜାଜ ବୁଧବାର କହିଛନ୍ତି। ବର୍ଦ୍ଧିତ ଜିଏସ୍‌ଟି ହାର ଦେଶର ଅଟୋମୋବାଇଲ ଶିଳ୍ପକୁ ପ୍ରଭାବିତ କରୁଥିବା ପ୍ରସଙ୍ଗରେ ମତ ରଖି ବଜାଜ କହିଛନ୍ତି, ଟିକସ ହାର କମାଇ ଏ ନେଇ ଏକ ସମାଧାନ ପନ୍ଥା ବାହାର କରିବାକୁ ଜିଏସ୍‌ଟି ପରିଷଦ ବିଚାର କରିବ। କେତେକ ସାମଗ୍ରୀକୁ ଟିକସ ଛାଡ଼ ବର୍ଗକୁ ନେବା ସହ ଟିକସ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ।
ସିଆଇଆଇର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ସରକାର ଟିକସ ବୃଦ୍ଧି କରିନାହାନ୍ତି କିମ୍ବା ଲୋକଙ୍କୁ ଅଧିକ ଟିକସ ଦେବାକୁ କହିନାହାନ୍ତି। କର୍ପୋରେଟ ସେକ୍ଟରର ପ୍ରଦର୍ଶନ ଭଲ ରହିଛି, ଯାହା ଦେଶର ଅର୍ଥ ବ୍ୟବସ୍ଥା ଲାଗି ଲାଭକାରୀ। ଏପ୍ରିଲ-ଜୁନ୍‌ ଅବଧିରେ ନେଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ ୨.୪୬ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ତ୍ରୈମାସରେ ୧.୧୭ ଲକ୍ଷ କୋଟି ଟଙ୍କା ରହିଥିଲା। ସେହିଭଳି ନେଟ୍‌ ପରୋକ୍ଷ ଟିକସ ଆଦାୟ ପ୍ରଥମ ତ୍ରୈମାସରେ ୩.୧୧ ଲକ୍ଷ କୋଟି ଟଙ୍କା ରହିଛି। ଏହା ମଧ୍ୟରେ ୧.୬୭ ଲକ୍ଷ କୋଟି ଟଙ୍କାର ନେଟ୍‌ ଜିଏସ୍‌ଟି ରହିଛି, ଯାହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୨୬.୬%। ଚଳିତ ଆର୍ଥତ୍କ ବର୍ଷରେ ୬.୩୦ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।
ଜିଏସ୍‌ଟି ସ୍ବାଭାବିକ ହେବା ପରେ ଅନେକ ସାମଗ୍ରୀ ଉପରୁ ଟିକସ କମିବା ନେଇ ବିଚାର କରାଯିବ। ଅଟୋଶିଳ୍ପ ଉପରେ ବର୍ଦ୍ଧିତ ଟିକସ ଯୋଗୁ କାରବାରକୁ ପ୍ରଭାବିତ କରୁଥିବା ବେଳେ ଏହି ସମସ୍ୟା ସମାଧାନ ହେବା ଦରକାର ବୋଲି ସେ ମତ ରଖିଛନ୍ତି। କର୍ପୋରେଟ କ୍ଷେତ୍ରର ଆନିମଲ ସ୍ପିରିଟ ବର୍ତ୍ତମାନ ନାହିଁ। ଅର୍ଥ ବ୍ୟବସ୍ଥାରେ ଦୀର୍ଘ ମିଆଦୀ ଅଭିବୃଦ୍ଧି ଲାଗି କର୍ପୋରେଟ କ୍ଷେତ୍ର ନିବେଶ ଲାଗି ଆଗେଇ ଆସୁ ବୋଲି ସେ ଆହ୍ବାନ କରିଛନ୍ତି। ଅର୍ଥ ବ୍ୟବସ୍ଥାକୁ ସୁବିଧା ହେଲା ଭଳି ପଦକ୍ଷେପ ଉପରେ ଫୋକସ କରାଯାଉଛି। ରେଟ୍ରୋସ୍ପେକ୍ଟିଭ ଟିକସ ଊଠାଣ ଲାଗି ଯୋଜନା ଗ୍ରହଣ କରାଯାଇଛି। ଟିକସ ହାର ବଢ଼ାଇ ଅଧିକ ଆଦାୟ କରିବା ପରିବର୍ତ୍ତେ ଅଧିକ ଲୋକଙ୍କୁ ଟିକସ ବ୍ୟବସ୍ଥା ପରିସରକୁ ଆଣିବାକୁ ବାଟ କରାଯାଉଛି। ବର୍ତ୍ତମାନ ମାତ୍ର କିଛି ପ୍ରତିଶତ ଲୋକ ଟିକସ ଭରୁଛନ୍ତି ଯାହା ଠିକ୍‌ ନୁହେଁ। ଟିକସ ସଂଗ୍ରହ ବଢାଇବା ଦିଗରେ ଆୟକର ବିଭାଗ କାମ କରୁଛି ବୋଲି ବଜାଜ ସ୍ପଷ୍ଟ କରିଛନ୍ତି।

Share