ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଭାରତ ସମେତ ଅନେକ ଦେଶ ଉପରେ ରେସିପ୍ରୋକଲ ଟାରିଫ୍ ବା ଟିକସ ଲଗାଇଛନ୍ତି। ତେବେ ଟ୍ରମ୍ପ୍ ଆଣ୍ଟାର୍କଟିକା ନିକଟ ମେନ୍ଲାଣ୍ଡ ଅଷ୍ଟ୍ରେଲିଆର ହର୍ଡ ଆଣ୍ଡ୍ ମାକ୍ଡୋନାଲ୍ଡ ଦ୍ୱୀପରେ ମଧ୍ୟ ୧୦% ଟାରିଫ୍ ଲଗାଇଛନ୍ତି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ କେହି ମଣିଷ ରୁହନ୍ତି ନାହିଁ। ଅଷ୍ଟ୍ରେଲୀୟ ଟେରିଟୋରିରେ ସାମିଲ ଥିବାରୁ ଟ୍ରମ୍ପ୍ଙ୍କ ଟାରିଫ୍ ତାଲିକାରେ ଏହି ଦ୍ୱୀପକୁ ଯୋଡ଼ା ଯାଇଛି ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି।
ଅଷ୍ଟ୍ରେଲୀୟ ସରକାରଙ୍କ ଦ୍ୱାରା ପରିଚାଳିତ ହର୍ଡ ଆଣ୍ଡ୍ ମାକ୍ଡୋନାଲ୍ଡ ଦ୍ୱୀପକୁ ପୃଥିବୀର ସବୁଠାରୁ ନିର୍ଜନ ସ୍ଥାନ କୁହାଯାଇଥାଏ। ଅଷ୍ଟ୍ରେଲିଆର ବାହ୍ୟ ଅଞ୍ଚଳରେ ଥିବା ଏହି ଦ୍ୱୀପରେ ମଣିଷ ରୁହନ୍ତି ନାହିଁ ବରଂ ଏହା ପେଙ୍ଗୁଇନ୍, ସିଲ୍ ପରି ବିଭିନ୍ନ ପ୍ରକାରର ପ୍ରଜାତିଙ୍କ ଆଶ୍ରୟସ୍ଥଳୀ। ହର୍ଡ ଆଣ୍ଡ୍ ମାକ୍ଡୋନାଲ୍ଡ ଦ୍ୱୀପର ଅଧିକାଂଶ ଅଞ୍ଚଳ ଗ୍ଲେସିୟର ଦ୍ୱାରା ଆଚ୍ଛାଦିତ। ଅଷ୍ଟ୍ରେଲିଆର ପଶ୍ଚିମ ଉପକୂଳରେ ଥିବା ପର୍ଥ ସହରରୁ ବୋଟ୍ ଯୋଗେ ଏହି ଦ୍ୱୀପରେ ପହଞ୍ଚିବାକୁ ପ୍ରାୟ ୨ ସପ୍ତାହ ଲାଗିବ। ତେବେ ଗତ ପ୍ରାୟ ଦଶନ୍ଧି ଧରି ଏହି ଦ୍ୱୀପରେ କୌଣସି ମଣିଷଙ୍କ ପାଦ ପଡ଼ିନାହିଁ।
ତେବେ ହର୍ଡ ଆଣ୍ଡ୍ ମାକ୍ଡୋନାଲ୍ଡ ଦ୍ୱୀପରେ ଟାରିଫ୍ ଲଗାଯିବାକୁ ନେଇ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍ବାନିଜ୍ ସମାଲୋଚନା କରି କହିଛନ୍ତି, ଏବେ ଏହି ପୃଥିବୀରେ କେହି ମଧ୍ୟ ସୁରକ୍ଷିତ ନୁହନ୍ତି। ତେବେ ଉକ୍ତ ଟାରିଫ୍ର ଜବାବରେ ପ୍ରତିକ୍ରିୟାଶୀଳ ହୋଇ ଅଷ୍ଟ୍ରେଲିଆ ଆମେରିକା ଉପରେ କୌଣସି ପାରସ୍ପରିକ ଶୁଳ୍କ ଲଗାଇବ ନାହିଁ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଟ୍ରମ୍ପ୍ ବୁଧବାର ହ୍ବାଇଟ ହାଉସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ଆମେରିକା ପକ୍ଷରୁ ୧୮୦ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରାଯାଇଥିବା ନେଇ ଘୋଷଣା କରିଥିଲେ।