Advertisement
Categories: ଫୁରସତ

ବିସ୍କୁଟ କପ୍‌ରେ ଚା’: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମଦୁରାଇ, ୨୮।୭: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀ ପାଇଁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ପ୍ଲାଷ୍ଟିକ୍‌ର ବ୍ୟବହାର କମ୍‌ କରିବା ଲାଗି ତାମିଲନାଡୁର ମଦୁରାଇରେ ଥିବା ଜଣେ ଚା’ ଦୋକାନୀ ଏକ ନିଆରା ଉପାୟ ଆପଣେଇଛନ୍ତି। ସେ ବିସ୍କୁଟରେ ତିଆରି କପ୍‌ରେ ଲୋକଙ୍କୁ ଚା’ ଦେଉଛନ୍ତି। ସେ କପେ ଚା’ ପାଇଁ ୨୦ ଟଙ୍କା ନେଇଥାନ୍ତି। ଲୋକେ ଚା’ ପିଇବା ପରେ କପ୍‌ ବି ଚୋବାଇ ଖାଇଥାନ୍ତି। ମଦୁରାଇର ଓ୍ବେଷ୍ଟ୍‌ ଷ୍ଟ୍ରିଟ୍‌ ଠାରେ ଏହି ଚା’ ଦୋକାନ ରହିଛି। ଏଠାରେ ପ୍ଲେନ୍‌ ବିସ୍କୁଟ କପ୍‌ ଠାରୁ ଆରମ୍ଭ କରି ଚକୋଲେଟ ଫ୍ଲେଭରର ବିସ୍କୁଟ କପ୍‌ ମିଳିଥାଏ। ପ୍ରତିଦିନ ଦୋକାନରେ ୫୦୦ରୁ ଅଧିକ କପ୍‌ ଚା’ ବିକ୍ରି ହୋଇଥାଏ ବୋଲି ମାଲିକ ବିବେକ ସବାପଥି କୁହନ୍ତି। ୨୦୧୯ର ଭାରତ ସରକାର ପ୍ଲାଷ୍ଟିକ୍‌ ବ୍ୟାନ୍‌ ନେଇ ଘୋଷଣା କରିବା ପରେ ବିବେକ ହାଇଦ୍ରାବାଦର ଏକ କମ୍ପାନୀ ସହିତ ଯୋଗାଯୋଗ କରିଥିଲେ। ଏହି କମ୍ପାନୀ ଖାଇବା ଉପଯୋଗୀ ଚା’ କପ୍‌ ତିଆରି କରିଥାଏ। ବିବେକ କମ୍ପାନୀରୁ ବିଭିନ୍ନ ଫ୍ଲେଭରର ବିସ୍କୁଟରେ ତିଆରି ଚା’କପ୍‌ ସେଠାରେ ମଗାଇଥାନ୍ତି। ପୂର୍ବରୁ ବହୁ ଦୂରଦୂରାନ୍ତରୁ ଲୋକେ ତାଙ୍କ ଦୋକାନରେ ଚା’ ପିଇବା ଆସୁଥିବାବେଳେ ଏବେ କରୋନା ସଂକ୍ରମଣ ଯୋଗୁ ବେପାର ଟିକେ ମାନ୍ଦା ଥିବା ବିବେକ କହିଛନ୍ତି। ବିବେକଙ୍କର ଚା’ ଦୋକାନ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share