ପ୍ରେମିକାଙ୍କଠୁ ଧୋକା ଖାଇବା ପରେ ନିଜ ଚା’ ଦୋକାନର ଏମିତି ନାଁ ରଖିଲେ ପ୍ରେମିକ, ଲୋକେ କରୁଛନ୍ତି ପ୍ରଶଂସା

ଭୋପାଳ,୩୧ା୭: ମଧ୍ୟପ୍ରଦେଶର ବୈତୁଲରେ ଆଜିକାଲି ଏକ ଚା’ ଦୋକାନ ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ଚା’ ଦୋକାନର ଅଦ୍ଭୁତ ନାମକରଣକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏହି ଦୋକାନର ନାଁ ‘ବଓ୍ବେଫା ଚାୟ ଓ୍ବାଲା’। ଏମିତି ନାମକରଣ ପଛରେ ଥିବା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ବୈତୁଲର ଶାହାପୁର ଅଞ୍ଚଳର ଏନ୍‌ଏଚ୍‌ ୬୯ରେ ଡୋଡରାମୋହର ଗାଁରେ ଏହି ଚା’ ଦୋକାନ ଅଛି। ଯାହାର ନାମ ‘ବଓ୍ବେଫା ଚାୟ ଓ୍ବାଲା’ ଏହି ଦୋକାନର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଠାକୁ ଲୋକେ ଚା’ ପିଇବାକୁ ଆସି ସେଲ୍‌ଫି ନେବାକୁ ଆଦୌ ଭୁଲନ୍ତି ନାହିଁ। କାରଣ ଏହି ଦୋକାନର ନାଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ପ୍ରେମିକାଙ୍କଠାରୁ ଧୋକା ଖାଇବା ପରେ ମଙ୍ଗଲ ସିଂହ ନାମକ ଜଣେ ଯୁବକ ବହୁତ ଭାଙ୍ଗିପଡ଼ିଥିଲେ। ତାଙ୍କ ସାଙ୍ଗସାଥୀ ବନ୍ଧୁବାନ୍ଧବ ତାଙ୍କୁ ବହୁତ ବୁଝାଇଲେ। ପରେ ସେ ରେଲ୍‌ଓ୍ବେ କ୍ରସିଂଠାରେ ଏକ ଚା’ ଦୋକାନ ଖୋଲିଲେ। ସେ ତାଙ୍କ ପ୍ରେମକୁ ସବୁବେଳେ ମନେ ପକାଇବା ପାଇଁ ଦୋକାନର ନାମ ରଖିଲେ ‘ବଓ୍ବେଫା ଚାୟ ଓ୍ବାଲା’। ଅର୍ଥାତ୍‌ ଅବିଶ୍ୱାସୀ ଚା ଦୋକାନୀ।

ମଙ୍ଗଲ କହିଛନ୍ତି, ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କିନ୍ତୁ ତାଙ୍କ ପ୍ରେମିକା ତାଙ୍କୁ ଧୋକା ଦେଇ ଅନ୍ୟଜଣଙ୍କୁ ବିବାହ କରି ଚାଲିଗଲେ। ତେଣୁ ସେ ତାଙ୍କ ପ୍ରେମିକାଙ୍କୁ ମନେ ପକାଇବା ପାଇଁ ନିଜ ଦୋକାନର ନାମକରଣ ଏମିତି କରିଛନ୍ତି। ମଙ୍ଗଲଙ୍କ ନିକଟକୁ ଯିଏ ଚା’ ପିଇବାକୁ ଯାଉଛି ସେ ପ୍ରଶଂସା କରୁଛି। ଲୋକେ କୁହନ୍ତି, ମଙ୍ଗଲ ବହୁତ ଭଲ ଚା’ ତିଆରି କରୁଛନ୍ତି।

ପ୍ରେମରେ ଧୋକା ଖାଇବା ପରେ ଆଦିବାସୀ ଯୁବକ ମଙ୍ଗଲଙ୍କ ଏହି ବେପାର ଆଇଡିଆ ଖୁବ୍‌ ଭଲ ଜମୁଛି।

Share