ଭବାନୀପାଟଣା/ଲାଞ୍ଜିଗଡ଼,୧୮।୩ (ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୁଣୁରି ପଞ୍ଚାୟତର ଜଣେ ଶିକ୍ଷକ ଚାକିରି ଦେବା ନାଁରେ ଶିକ୍ଷିତ ଯୁବକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଠକେଇର ଶିକାର ହୋଇଥିବା ଜଣେ ଯୁବକ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡୁରି ପଞ୍ଚାୟତ ଶୋଷପଦର ସ୍କୁଲର ଶିକ୍ଷକ ମନୋରଞ୍ଜନ ନନ୍ଦ। ଏ ନେଇ ଗୁରୁବାର କଳାହାଣ୍ଡି ଏସ୍ପି ଡ଼.ଶ୍ରବଣା ବିବେକ ଏମ୍ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶିକ୍ଷକ ନନ୍ଦ ଜଣେ ଲୋକଙ୍କଠାରୁ ୭ ଲକ୍ଷ ୬ ହଜାର ଟଙ୍କା ଚାକିରି ଦେବା ନାଁରେ ଠକି ନେଇଥିବା ଏସ୍ପି ସୂଚନା ଦେଇଛନ୍ତି। ଚାକିରି ପାଇଁ ଫେକ୍ଲେଟର ତିଆରି କରି ଜିଲାପାଳଙ୍କ ଫେକ୍ ଦସ୍ତଖତ ଲେଟର ଦେଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକି ଥିବା ପ୍ରକାଶ କରିଥିଲେ। ଚାକିରି ଦେବା ଆଳରେ ଆଉ କାହାଠାରୁ ଯଦି ଶିକ୍ଷକ ଟଙ୍କା ଠକି ନେଇଛନ୍ତି, ତାହା ହେଲେ ତୁରନ୍ତ ପୋଲିସରେ ଅଭିଯୋଗ କରିବା ପାଇଁ ଏସ୍ପି କହିଥିଲେ। ଶିକ୍ଷକ ନନ୍ଦ ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡୁରି ପଞ୍ଚାୟତ ଶୋଷପଦର ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ତାଙ୍କୁ ନର୍ଲା ବ୍ଲକକୁ ଡେପୁଟେଶନ କରାଯାଇଛି ବୋଲି ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ପ୍ରକାଶ କରିଛନ୍ତି। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଏକ ମାମଲା (ନଂ.୧୧୩/୨୨) ରୁଜୁ ହୋଇଛି।