ସୋମବାର ସ୍କୁଲ ଆସିଲେନି ଶିକ୍ଷୟିତ୍ରୀ, ଶିକ୍ଷକ

ମୋରଡା,୨୯।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ଶିକ୍ଷାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି l ସମ୍ପକ୍ତ ବ୍ଲକ ଅଧୀନ ଗଡିଗାଁ ପଞ୍ଚାୟତର ଡେଙ୍ଗାଶୋଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦାନରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ବେଳେ ମୋଟ ୨୫ଜଣ ଛାତ୍ରୀଛାତ୍ର ପଢୁଛନ୍ତି l କୁଇଲି ମୁର୍ମୁ ଓ଼ ସଞ୍ଜୀବ ମହାନ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି l ହେଲେ ସୋମବାର ଶିକ୍ଷୟିତ୍ରୀ, ଶିକ୍ଷକ ଦୁଇଜଣ କୌଣସି କାରଣରୁ ସ୍କୁଲ ଆସି ନ ଥିଲେ। ଫଳରେ କୁନି କୁନି ଛାତ୍ରୀଛାତ୍ରମାନେ ସ୍କୁଲ ରୋଷେୟା ଅହଲ୍ୟା ମହାନ୍ତଠାରୁ ବିଦ୍ୟାଳୟର ଚାବି ଆଣି ଶ୍ରେଣୀ ଗୃହ ଖୋଲି ବସିଥିଲେ।

କିନ୍ତୁ ପୂର୍ବାହ୍ନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ସମ୍ପୃକ୍ତ ଦୁଇ ଶିକ୍ଷକ ବିଦ୍ୟାଳୟ ଆସି ନ ଥିଲେ। ଫଳରେ ଫଳରେ ଛାତ୍ରୀଛାତ୍ରମାନେ ପାଠ ପଢାରୁ ବଞ୍ଚିତ ହୋଇଛନ୍ତି। ଏଥି ସହିତ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇ ନ ଥିବା ବେଳେ ରୋଷେୟା ପାଉଁରୁଟି ଆଣି ପିଲାଙ୍କୁ ଦେଇ ବିଦ୍ୟାଳୟରୁ ଚାଲିଯାଇଥିଲେ ।

ତେବେ ବିଦ୍ୟାଳୟରେ ଆଜିର ପରିସ୍ଥିତି ନୂଆ ନୁହଁ l ସମ୍ପୃକ୍ତ ଦୁଇ ଶିକ୍ଷୟିତ୍ରୀ, ଶିକ୍ଷକ ଅଧିକାଂଶ ଦିନ ବିଦ୍ୟାଳୟକୁ ଠିକ୍‌ ଭାବେ ଆସୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଅଧିକାଂଶ ଦିନ ପିଲାମାନେ ପାଠପଢାରୁ ବଞ୍ଚିତ ହେଉଥିବା ଅଭିଭାବକ ଜୟନ୍ତ ମହାନ୍ତ, ପରମେଶ୍ୱର ମହାନ୍ତ, ସ୍ବରୂପ ମହାନ୍ତଙ୍କ ସହ ଅନ୍ୟମାନେ ଅଭିଯୋଗ କରିଛନ୍ତି।

ତେବେ ଦିନତମାମ ବିଦ୍ୟାଳୟକୁ ଶିକ୍ଷୟିତ୍ରୀ, ଶିକ୍ଷକ ନ ଆସିବା ମୋରଡା ବିଇଓ ମନମୋହନ ହେମ୍ବ୍ରମଙ୍କ ଅବଗତରେ ନ ଥିଲା। ଯାହା ଅତ୍ୟନ୍ତ ଦୁଃଖ ଓ଼ ପରିତାପର ବିଷୟ l ଆମ୍ଭ ପ୍ରତିନିଧି ବିଇଓ ମନମୋହନଙ୍କୁ ଜଣାଇବା ପରେ ସେ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ଏନେଇ ବିଇଓ ହେମ୍ବ୍ରମଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ଘଟଣା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ମୋରଡ଼ାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗରେ ମୋରଡା ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ପରିତୋଷ ବାରିକ, ସମୀର କୁମାର ବେହେରା, ପିତ୍ତରଞ୍ଜନ ଜେନା, ତାପସ କୁମାର ସିଂ, ଛୁଟୁ ରଣା ପ୍ରମୁଖ ଅନୁରୋଧ କରିଛନ୍ତି।

Share