ନୟାଗଡ଼ ଅଫିସ,୨୮ା୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରେ ବୁଡ଼ି ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଶିକ୍ଷକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ।
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ନେଇ ଆସିଥିବା ଜଣେ ଶିକ୍ଷକ ବୁଧବାର ସକାଳ ୭ଟାରେ କଣ୍ଟିଲୋ ମହାନଦୀରେ ଗାଧୋଇବା ସମୟରେ ଜଣେ ଛାତ୍ର ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ। ତେବେ ଶିକ୍ଷକ ଉକ୍ତ ଛାତ୍ରଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିରେ ପଶିଥିଲେ। ପରେ ସେ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ହେଲେ ଶିକ୍ଷକଙ୍କୁ ବିଳମ୍ବରେ ଉଦ୍ଧାର କରିଥିଲେ। ଖଣ୍ଡପଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।