Categories: ଜାତୀୟ

ଶିକ୍ଷକ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଲଗାଇଲେ ରୋକ

ନୂଆଦିଲ୍ଲୀ,୯।୯: ଉତ୍ତରପ୍ରଦେଶରେ ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ସିଜେଆଇ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ସ୍ଥଗିତ ରହିବ। ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୩ରେ ହେବ। ସିଜେଇ ସମସ୍ତ ପକ୍ଷଙ୍କୁ ଲିଖିତ ନୋଟ ଦାଖଲ କରିବାକୁ କହିଥିଲେ।

ସୁପ୍ରିମକୋର୍ଟ ରାଜ୍ୟ ସରକାର ଏବଂ ଉଭୟ ପକ୍ଷଙ୍କୁ ଲିଖିତ ଯୁକ୍ତି ଉପସ୍ଥାପନ କରିବାକୁ କହିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ଅଧ୍ୟୟନ ପାଇଁ ସମୟ ଆବଶ୍ୟକ। ଆହ୍ଲାବାଦ ହାଇକୋର୍ଟ ଏହାର ନିଷ୍ପତ୍ତିରେ ଜୁନ ୨୦୨୦ ଏବଂ ଜାନୁୟାରୀ ୨୦୨୨ର ଚୟନ ତାଲିକା ବାତିଲ କରି ୨୦୧୯ ରେ ଅନୁଷ୍ଠିତ ଆସିଷ୍ଟାଣ୍ଟ ଶିକ୍ଷକ ନିଯୁକ୍ତି ପରୀକ୍ଷା ଆଧାରରେ ତିନିମାସ ମଧ୍ୟରେ ୬୯ ହଜାର ଶିକ୍ଷକଙ୍କ ପାଇଁ ଏକ ନୂତନ ଚୟନ ତାଲିକା ପ୍ରକାଶ କରିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ଏହା ମଧ୍ୟ କହିଛନ୍ତି, ଯଦି ସଂରକ୍ଷିତ ବର୍ଗ ପ୍ରାର୍ଥୀ ସାଧାରଣ ବର୍ଗ ସହିତ ସମାନ ଯୋଗ୍ୟତା ହାସଲ କରନ୍ତି, ତା’ହେଲେ ତାଙ୍କ ଚୟନକୁ କେବଳ ସାଧାରଣ ବର୍ଗରେ ବିଚାର କରାଯିବା ଉଚିତ। ହାଇକୋର୍ଟଙ୍କ ଏହି ଆଦେଶ ଯୋଗୁ ୟୁପିରେ କାର୍ଯ୍ୟ କରୁଥିବା ବହୁ ସଂଖ୍ୟକ ଶିକ୍ଷକ ଚାକିରି ହରାଇବା ବିପଦରେ ଅଛନ୍ତି।
ଗତ ମାସରେ, ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ୟୁପି ସରକାରଙ୍କୁ ତିନିମାସ ମଧ୍ୟରେ ନିଯୁକ୍ତି ପାଇଁ ଏକ ନୂତନ ଯୋଗ୍ୟତା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲା। ହାଇକୋର୍ଟ ଶୁଣାଣି ସମୟରେ ସ୍ବୀକାର କରିଥିଲେ, ୬୯୦୦୦ ଶିକ୍ଷକ ନିଯୁକ୍ତିରେ ପ୍ରାର୍ଥୀମାନଙ୍କୁ ସଂରକ୍ଷଣର ସମ୍ପୂର୍ଣ୍ଣ ଲାଭ ଦିଆଯାଇନାହିଁ।

Share