ଶିକ୍ଷକ ନିଯୁକ୍ତି ଆନ୍ଦୋଳନ ତେଜିଲା: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କେସିଙ୍ଗା,୧୭।୮(ତୁମେଶ୍ୱର୍‌ ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ସୌରାପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି କରି ଶନିବାର ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଥିଲେ।

ସ୍କୁଲରେ ୮ଟି ଶ୍ରେଣୀ ପାଇଁ ୩ଜଣ ଶିକ୍ଷକ ନିଯୁକ୍ତି କରାଯାଇଛି। ସ୍କୁଲରେ ବର୍ତ୍ତମାନ ୧୧୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏପରିକି ବିଦ୍ୟାଳୟରେ ୪ଟି ଶ୍ରେଣୀ ଗୃହ ରହିଛି। ଏଭଳି ସ୍ଥିତିରେ ଗୋଟିଏ ଗୃହରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ, ଡାଲି ଏବଂ ରନ୍ଧା ସାମଗ୍ରୀ ରହୁଛି।

୩ଟି ଶ୍ରେଣୀ ଗୃହରେ ୧୧୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଫଳରେ ଛାତ୍ରୀଛାତ୍ର ପାଠପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଭିଭାବକ ଏବଂ ଗ୍ରାମବାସୀ କେସିଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭଯୋଗ କରିଥିଲେ। ହେଲେ ସମସ୍ୟାର କୌଣସି ସମାଧାନ ହୋଇ ନ ଥିଲା।

ଫଳରେ ବାଧ୍ୟ ହୋଇ ଅଭିଭାବକ, ଶିକ୍ଷା କମିଟି ଓ ଗ୍ରାମବାସୀ ମିଳିତ ଭାବେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଥିଲେ। ଖବର ପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଦନ୍ତ ପାଇଁ ସିଆର୍‌ସିଙ୍କୁ ପଠାଇ ଥିଲେ। ସିଆର୍‌ସି ଘଟଣାସ୍ଥଳରେ ପହଞ୍ଚି ଶିକ୍ଷା କମିଟି, ଅଭିଭାବକ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

କିଛି ଦିନ ମଧ୍ୟରେ ଆଉ ୨ଜଣ ଶିକ୍ଷକ ବିଦ୍ୟାଳୟରେ ନିଯୁକ୍ତି କରାଯିବ ବୋଲି ସିଆର୍‌ସି ପ୍ରତିଶ୍ରୁତି ଦେଇଥିଲେ। ପରେ ସ୍କୁଲ ତଲା ଖୋଲା ଯାଇଥିଲା। ଏହି ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଛନ୍ତି।