Categories: ମେଟ୍ରୋ

‘ମା’ ଦେଇଛି ଜନ୍ମ, ସ୍କୁଲ ଦେଇଛି ଜୀବନ’

ଭୁବନେଶ୍ୱର,୧।୪(ବ୍ୟୁରୋ): ବାଣୀବିହାର ଅଡିଟୋରିୟମଠାରେ ଶୁକ୍ରବାର ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ସ୍ଥିତ ବାଣୀବିହାର ଯୁନିଭରସିଟି ହାଇସ୍କୁଲର ସ୍ମୃତିଚାରଣ କରିଥିଲେ। ସେ ଏହି ସ୍କୁଲର ଛାତ୍ର ଥିଲେ l ସେହି ସମୟର ଜରାଜୀର୍ଣ୍ଣ ଏହି ସ୍କୁଲଟି ବର୍ତ୍ତମାନ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପୁନର୍ଜନ୍ମ ପାଇଛି। ମୋ ସ୍କୁଲ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରୀଛାତ୍ରଙ୍କ ସଂଗୃହିତ ଅବଦାନ ସହ ଦୁଇ ଗୁଣା ସରକାରୀ ଅନୁଦାନରେ ଏହା ସମ୍ଭବ ହୋଇପାରିଛି। ମା’ ଆମକୁ ଜନ୍ମ ଦେଇଛନ୍ତି ହେଲେ ସ୍କୁଲ ଜୀବନ ଦେଇଛି ବୋଲି ଅଧ୍ୟକ୍ଷ ବାଗ୍‌ଚୀ କହିଛନ୍ତି।
ପୂର୍ବରୁ ସ୍କୁଲରେ ୬୩୦ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୮ ଜଣ ଶିକ୍ଷକ ଥିଲେ। ଏବେ ଅସୁବିଧା ଦୂର ହୋଇ ଓଡ଼ିଶା ଶିକ୍ଷା ଇତିହାସରେ ଏକାଥରେ ନିମ୍ନ ପ୍ରାଥମିକସ୍ତରରେ ୭ ଜଣ ଶିକ୍ଷକ ଓ ମାଧ୍ୟମିକସ୍ତରରେ ୪ ଜଣ ଶିକ୍ଷକଙ୍କ ସମେତ ୧୧ ଜଣ ଶିକ୍ଷକ ନିଯୁକ୍ତ ହେବାରେ ଶିକ୍ଷା, ଶିକ୍ଷାୟତନ ଓ ଶୈକ୍ଷିକ ପରିବେଶ ବେଶ୍‌ ମାର୍ଜିତ ହୋଇଛି ବୋଲି କହିଥିଲେ। ନବ ନିଯୁକ୍ତ ୧୧ ଜଣ ଶିକ୍ଷକଙ୍କୁ ସ୍ବାଗତ ଜଣାଇବା ସହ ସେ ସେମାନଙ୍କୁ ଦେଶ ପାଇଁ ଉତ୍ତମ ନାଗରିକ ଗଢ଼ିତୋଳିବାରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ l

ସମ୍ମାନିତ ଅତିଥି ଭାବେ ବାଣୀବିହାର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉପସ୍ଥିତ ଥିଲେ। ରେଜିଷ୍ଟ୍ରାର ଡ. ଅଭୟ ନାୟକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟବ୍ରତ ସାହୁ, ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ, ପୁରାତନ ଛାତ୍ର ସଂସଦର ସଭାପତି ଦୀପକ କୁମାର ସାଇଁଙ୍କ ସମେତ ବହୁ ପୁରାତନ ଛାତ୍ରୀଛାତ୍ର ଯୋଗଦେଇଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେବୀ ସ୍ବାଗତ ଭାଷଣ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Share