ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଶିକ୍ଷକ

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ବଡ଼ଭାଲିଆ ପଞ୍ଚାୟତ କୁଲାଦହଣୀ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ବିଦ୍ୟାଳୟର ଶିକ୍ଷକ ସୁଦିବ୍ୟଶକ୍ତି ଦାସ ମାଡ଼ମାରି ଗୁରୁତର କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁଳିଆପଦା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୧୯୩/୯ା୧୧ା୨୦୨୩ରେ ଶିକ୍ଷକ ସୁଦିବ୍ୟଶକ୍ତଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେବା ପର୍ଯ୍ୟନ୍ତ ସେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଏପରିକି ବିନା ସୂଚନାରେ ମୁଖ୍ୟାଳୟ ନ ଛାଡ଼ିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ବିଦ୍ୟାଳୟ ଭଳି ଦଣ୍ଡମୁକ୍ତ ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ସୁଦିବ୍ୟଶକ୍ତ ନିସ୍ତୁକ ମାଡ଼ ମାରିବାରୁ ଛାତ୍ର ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ଏନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ବ୍ଳକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା।

Share