ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟରରେ ନିଜ ଫଟୋ ରଖିବା ପଡ଼ିଲା ମହଙ୍ଗା; ଶିକ୍ଷକ ନିଲମ୍ବିତ

ଧର୍ମଗଡ଼,୧।୨(ଡି.ଏନ୍‌.ଏ.): ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ପଡ଼ିଛି ମହଙ୍ଗା। ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ତ୍ରୀଙ୍କ ପୋଷ୍ଟରରେ ନିଜର ଫଟୋ ରଖି ନିଲମ୍ବିତ ହୋଇଛନ୍ତି କଳାହାଣ୍ଡିର ଜଣେ ଶିକ୍ଷକ। ସେ ହେଲେ ସଞ୍ଜୟ କୁମାର ପଣ୍ଡା।

ଜୁନାଗଡ ବ୍ଲକର ଶଙ୍କରପଲା ପ୍ରାଥମିକ ବିଦ୍ୟାଳୟରେ ସଞ୍ଜୟ ପ୍ରଧାନଶିକ୍ଷକ ଅଛନ୍ତି। ଚଳିତ ନିର୍ବାଚନରେ ତାଙ୍କ ସ୍ତ୍ରୀ ଯାଜ୍ଞସେନୀ ପଣ୍ଡା ବୁଢିଦର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତାଙ୍କର ନିର୍ବାଚନୀ ପୋଷ୍ଟରରେ ସଞ୍ଜୟଙ୍କ ଫଟୋ ରହିଥିଲା। ପଞ୍ଚାୟତର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯିବା ପରେ ତାହା ଭାଇରାଲ ହୋଇଥିଲା। ଜଣେ ସରକାରୀ ଶିକ୍ଷକ ହୋଇଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ନିଜ ଫଟୋ ପୋଷ୍ଟରରେ ଛାପିଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ସଞ୍ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମଙ୍ଗଳବାର ଜୁନାଗଡ ବ୍ଲକ ଶିକ୍ଷା ଅଧିକାରୀ ସଞ୍ଜୟଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡ଼ିଛି।

 

Share