ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ: ଚାକିରୀରୁ ବିଦା

ଲେଫ୍ରିପଡା,୩୦।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ସୁର୍ଗୁଡା କ୍ଲଷ୍ଟରର କୁଲାବିରା କିଶାନପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପ୍ରଦୀପ ପଟେଲ ନିଲମ୍ବିତ। ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇଥିବାରୁ ସରକାରୀ ଚାକିରୀର ଅପବ୍ୟବହାର ନେଇ ଲେଫ୍ରିପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୦୭/୩୦।୯।୨୦୨୨ ଦ୍ୱାରା ନିଲମ୍ବିତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ସହକାରୀ ଶିକ୍ଷକ ପ୍ରଦୀପ ବିଦ୍ୟାଳୟକୁ ନିଶାସକ୍ତ ଅବସ୍ଥାରେ ଆସି ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଥିଲା। ଗୁରୁବାର ଅତ୍ୟଧିକ ଉନ୍ମତ୍ତକାଣ୍ଡ କରିଥିବା ବେଳେ ସବୁ ସୀମା ଟପି ଯାଇଥିଲେ। ବିଦ୍ୟାଳୟକୁ ନିଶାସକ୍ତ ଅବସ୍ଥାରେ ଆସି ଛାତ୍ରୀଛାତ୍ରଙ୍କୁ ମାଡ଼ ମାରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରି ବିଦ୍ୟାଳୟରେ ଶୋଇଥିଲେ। ଘଟଣାର ଖବରପାଇ ସହକାରୀ ଶିକ୍ଷକଙ୍କ ପୁଅ ବିଦ୍ୟାଳୟକୁ ଆସି ନିଜ ବାପାଙ୍କୁ ମାଡ଼ ମାରିଥିଲେ। ବିଦ୍ୟାଳୟରେ ଉତ୍ତେଜନା ହେବାରୁ ବିଦ୍ୟାଳୟର ଅଭିଭାବକ ଏବଂ ଗ୍ରାମବାସୀ ପହଞ୍ଚି ନିଜର ପିଲାଙ୍କୁ ନେଇ ବିଦ୍ୟାଳୟରେ ତାଲା ପକାଇଥିଲେ। ଘଟଣା ସମ୍ପର୍କରେ ଜାଣି କ୍ଲଷ୍ଟର ସିଆରସିସି ପହଞ୍ଚି ବୁଝାଶୁଝା କରି ତାଲା ଖୋଲିବାକୁ ଅନୁରୋଧ କରିଥିଲେ ମଧ୍ୟ ଗ୍ରାମବାସୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ପାଇଁ ଜିଦରେ ଅଟଳ ରହିଥିଲେ। ପରେ ସିଆରସିସି ଲେଫ୍ରିପଡା ଥାନାକୁ ଘଟଣା ଏସମ୍ପର୍କରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ବିଦ୍ୟାଳୟରେ ଅଟକ ରଖିଥିବା ଶିକ୍ଷକଙ୍କୁ ଛାଡିଥିଲେ। ଉକ୍ତ ଘଟଣା ସମ୍ପର୍କରେ ସିଆରସିସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ପୂର୍ବରୁ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପ୍ରଦୀପଙ୍କ କାର୍ଯ୍ୟକଳାପ ନେଇ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ଶିକ୍ଷକଙ୍କ ବିରୋଧରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶେଷରେ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି।