କ୍ଷୁଦ୍ର ଚଳଚ୍ଚିତ୍ର ‘ଦାଦାଜି କା ଥେଲା’ ପାଇଁ ଶିକ୍ଷକ ତରୁଣ କୁମାର ପୁରସ୍କୃତ

କୋରାପୁଟ,୧୯।୩(ଅମିତାଭ ବେହେରା ): ସିଆଇଇଟି, ଏନ୍‌ସିଆର୍‌ଟି ନୂଆ ଦିଲ୍ଲୀ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଶିଶୁ ଇ- ଶିକ୍ଷଣ ସାମଗ୍ରୀ ପ୍ରତିଯୋଗିତା ୨୦୨୩-୨୪ରେ ଭାଗ ନେଇ ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ଶିକ୍ଷକ ତରୁଣ କୁମାର ଦାଶ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ପର୍ଯ୍ୟବେସିତ, ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ ବ୍ୟାନରରେ ନିର୍ମିତ ତଥା ଶିକ୍ଷକ ତରୁଣ କୁମାର ଦାଶଙ୍କ ଦ୍ୱାରା ରଚିତ ଏବଂ ନିର୍ଦ୍ଦେଶିତ ଲଘୁ ଚଳଚ୍ଚିତ୍ର (ହିନ୍ଦୀ ) ‘ଦାଦାଜି କା ଥେଲା’ ମେଘାଳୟର ଶିଲଂଠାରେ ଆୟୋଜିତ ଅଖିଳ ଭାରତୀୟ ଶିଶୁ ଇ- ଶିକ୍ଷଣ ସାମଗ୍ରୀ ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି। ମେଘାଳୟ ଶିକ୍ଷାମନ୍ତ୍ରୀ ଏବଂ ଏନ୍‌ସିଆର୍‌ଟି ନିର୍ଦ୍ଦେଶକଙ୍କଠାରୁ ଶିକ୍ଷକ ତରୁଣ ମାନପତ୍ର ସହ ଉପଢୌକନ ପ୍ରାପ୍ତ କରିଛନ୍ତି।

ଚଳଚ୍ଚିତ୍ରଟିରେ ଶିକ୍ଷକ ଲିଛମନ ରାମ ସହକାରୀ ଲେଖକ ଏବଂ ବିଦ୍ୟାଳୟର ପୁରାତନ ଛାତ୍ର ଆୟୁଷ ଦାଶ ଚିତ୍ର ଉତ୍ତୋଳନ, ସମ୍ପାଦନ ଏବଂ ଧ୍ୱନୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ଡାୟମଣ୍ଡ ସେଠ, ସନ୍ତୋଷ ସିଂହ ଖୁଣ୍ଟିଆ ସମେତ ଛାତ୍ର ପ୍ରୟାସ ଜେନା, ଭି ଗୌତମ ଅଭିଶୁମତ, ଛାତ୍ରୀ ରୁହାନୀ ରୀତ ଦାଶ, ଡିମ୍ପଲ କୁମାରୀ ଅଭିନୟ କରିଥିଲେ।

ବିଦ୍ୟାଳୟର ଏହି ଉପଲବ୍ଧି ପାଇଁ ଶିକ୍ଷକ ତରୁଣ କୁମାର ଦାଶଙ୍କ ସହଯୋଗ ଓ ମାର୍ଗଦର୍ଶନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଡେପୁଟି କମିଶନର ଡକ୍ଟର ଶିହରଣ ବୋଷ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ବିଦ୍ୟାଳୟ ପରିବାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ‘ସଡ଼କ’ କ୍ଷୁଦ୍ର ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିବା ସଫଳତାର ଧାରା ଏହି ପର୍ଯ୍ୟନ୍ତ ବଜାୟ ରହିପାରିଛି। ଅନ୍ୟପକ୍ଷେ ବିଦ୍ୟାଳୟ ପ୍ରତି ବୁଦ୍ଧିଜୀବୀ ମହଲରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି।

Share