Categories: ଜାତୀୟ

ହାତ, ଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଶିକ୍ଷକଙ୍କ ମୃତଦେହ

ଭାଦୋଇ,୪।୪: ନିଖୋଜ ହେବାର ଦିନକ ପରେ ୪୨ ବର୍ଷୀୟ ଶିକ୍ଷକଙ୍କ ମୃତଦେହକୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଭାଦୋଇ ଜିଲାର ଏକ ଗ୍ରାମରେ। ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ ୨୩ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମୃତକ ଅରବିନ୍ଦ କୁମାର ଗୌତମ ଏକ ସରକାରୀ ପ୍ରାଥମିକ ସ୍କୁଲରେ ଆସିଷ୍ଟାଣ୍ଟ ଶିକ୍ଷକ ଥିଲେ।

ଅଭିଯୁକ୍ତ ଅଭିଷେକ ରଞ୍ଜନଙ୍କୁ ଗିରଫ କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ପଚରାଉଚୁରା କରାଯାଉଛି ବୋଲି ଏସ୍‌ପି ଅନିଲ କୁମାର କହିଛନ୍ତି।

ପୋଲିସ ଅନୁଯାୟୀ, ଅରବିନ୍ଦ ଗତ ଜୁନରେ ତାଙ୍କ ଝିଅ ବାହାଘର ଠିକ୍‌ କରିଥିଲେ। କିନ୍ତୁ ତାଙ୍କ ଝିଅଙ୍କ ସହ ଅଭିଯୁକ୍ତ ଅଭିଷେକ ରଞ୍ଜନଙ୍କର ପ୍ରେମ ସମ୍ପର୍କ ଥିଲା। ଝିଅ ବାହାଘର ଭାଙ୍ଗିବା ପାଇଁ ମୃତକଙ୍କୁ ଅନେକ ବାର ଚେତାବନୀ ଦେଇଥିଲେ ହତ୍ୟାକାରୀ। ଗତ ଶନିବାର ସନ୍ଧ୍ୟାରେ ଅରବିନ୍ଦଙ୍କୁ ଦେଖା କରିବାକୁ ଡକାଇଥିଲେ ଅଭିଷେକ। ସେଠାରେ ଦୁଇ ସାଙ୍ଗଙ୍କ ସହ ମିଶି ଅପରାଧ ଘଟାଇଥିଲେ। ପଚରାଉଚୁରା ବେଳେ ହତ୍ୟାକାରୀ ଅଭିଷେକ ନିଜ ଅପରାଧ ସ୍ବୀକାର କରିଥିବା ଏସ୍‌ପି କହିଛନ୍ତି।

Share