ଜାଲ୍‌ ସାର୍ଟିଫିକେଟ୍‌ ପାଇଁ ବନ୍ଧା ହେଲେ ଶିକ୍ଷକ

ଆସିକା,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଶିକ୍ଷକତା କରୁଥିବା ଜଣେ ଶିକ୍ଷକଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଆସିକା ବ୍ଲକ ଅଧୀନ ପାଣ୍ଡିଆପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବାୟାମନ ପଣ୍ଡା।

ପ୍ରକାଶ ଯେ, ବାୟାମନ ଚାକିରି ପୂର୍ବରୁ ଏମ୍‌ଏ, ବିଇଡି ଯୋଗ୍ୟତା ହାସଲ କରିଥିବା ନେଇ ସାର୍ଟିଫିକେଟ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ବିଇଡି ସାର୍ଟିଫିକେଟ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏକ କେନ୍ଦ୍ରରୁ ହାସଲ କରିଥିବା ଦର୍ଶାଇଥିଲେ। ଏହି ସମ୍ପର୍କରେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ଏପରି କୌଣସି ସୂଚନା ବିଶ୍ୱବିଦ୍ୟାଳୟରେ ନ ଥିବା ଦର୍ଶାଯାଇଥିଲା। ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଆସିକା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ. ୭୨୦/୨୧) ରୁଜୁ କରି ଅଭିଯୁକ୍ତ ଶିକ୍ଷକ ବାୟାମନଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଆସିକା ବ୍ଲକରେ ଏବେ ସୁଦ୍ଧା ୮ଜଣ ଶିକ୍ଷକ ଏଭଳି ଜାଲ ସାର୍ଟିଫିକେଟ ଦାଖଲ କରି ଗିରଫ ହୋଇସାରିଲେଣି। ଆହୁରି ୧୦ରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କ ଦାଖଲ ସାର୍ଟିଫିକେଟକୁ ଯାଞ୍ଚ ଲାଗି ପଠାଯାଇଛି।

Share