ଶିକ୍ଷକ ଅଛନ୍ତି, ଛାତ୍ରୀଛାତ୍ର ଆସୁନାହାନ୍ତି

ରଘୁନାଥପୁର,୨୮ା୭(ରାଜେନ୍ଦ୍ର ନାରାୟଣ ସିଂହ): ସରକାର ଶିକ୍ଷାକ୍ଷେତ୍ରରେ ଅର୍ଥ ବିନିଯୋଗ କରୁଛନ୍ତି। ସଭିଏଁ ପଢ଼ନ୍ତୁ ଓ ଶିକ୍ଷିତ ହୁଅନ୍ତୁ ସ୍ଲୋଗାନ ଦେଉଛନ୍ତି। ହେଲେ ଜଣେ ଶିକ୍ଷୟିତ୍ରୀଙ୍କ ଡେପୁଟେଶନ ବାତିଲ ଦାବି କରି ୩ ଦିନ ହେଲା ବିଦ୍ୟାଳୟକୁ ଛାତ୍ରୀଛାତ୍ର ଆସୁନାହାନ୍ତି। ଏହା ଶିକ୍ଷା ବ୍ୟବସ୍ଥାର ପାରିବାପଣିଆକୁ ପଦାରେ ପକାଇଛି। ଫଳରେ ଉକ୍ତ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ହୋଇଯାଇଛି। ଶିକ୍ଷୟିତ୍ରୀଶିକ୍ଷକ ଆସି ବିଦ୍ୟାଳୟ କାର୍ଯ୍ୟାଳୟରେ ବସି ରହିବା ସାର ହେଉଛି। ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଜଇପୁରସ୍ଥିତ ମହେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ଉକ୍ତ ବିଦ୍ୟାଳୟରେ ୧୭୦ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୭ ଜଣ ଶିକ୍ଷୟିତ୍ରୀଶିକ୍ଷକ ଶିକ୍ଷାଦାନ ନିମନ୍ତେ ନିୟୋଜିତ ଅଛନ୍ତି। ସ୍ଥାନୀୟ ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ମହେଶ୍ୱର ଉ.ପ୍ରା. ବିଦ୍ୟାଳୟରୁ ଶିକ୍ଷୟିତ୍ରୀ ସରସ୍ବତୀ ସାସ୍‌ମଲଙ୍କୁ ୧୯ ତାରିଖରେ ଉକ୍ତ ବିଦ୍ୟାଳୟକୁ ଡେପୁଟେଶନରେ ପଠାଯାଇଥିଲା। ଜଣେ ଭଲ ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀଙ୍କୁ ଡେପୁଟେଶନରେ ପଠାଯିବା କଥାକୁ ସହଜରେ ଛାତ୍ରୀଛାତ୍ର ଓ ଅଭିଭାବକ ଗ୍ରହଣ ପାରି ନ ଥିଲେ। ମଙ୍ଗଳବାର ବିଦ୍ୟାଳୟ ସମ୍ମୁଖରେ ବସି ଅଭିଭାବକମାନେ ଏହାର ପ୍ରତିବାଦ କରିବା ସହ ଛାତ୍ରୀଛାତ୍ର ଶ୍ରେଣୀଗୃହକୁ ପ୍ରବେଶ କରି ନ ଥିଲେ। ବୁଧବାର ମଣ୍ଡଳ ଶିକ୍ଷାଧିକାରୀ ବିଜୟ କୁମାର ସ୍ବାଇଁ ଓ ସିଆରସିସି ବିରୂପାକ୍ଷ ସେଠୀ ବିଦ୍ୟାଳୟରେ ପହଞ୍ଚତ୍ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସ ସୁଫଳ ମିଳି ନ ଥିଲା। ଉକ୍ତ ଶିକ୍ଷୟିତ୍ରୀଙ୍କ ଡେପୁଟେଶନ ଅର୍ଡର ବାତିଲ କରିବା ପାଇଁ ଅଭିଭାବକ ଓ ପରିଚାଳନା କମିଟି ସଭ୍ୟାସଭ୍ୟ ଅଧିକାରୀଙ୍କ ନିକଟରେ ଅଡ଼ି ବସିଥିଲେ। ଶିକ୍ଷା ବିଭାଗ ଓ ଅଭିଭାବକଙ୍କ ମଧ୍ୟରେ ବଳ କଷାକଷିରେ ୩ ଦିନ ଧରି ନିରୀହ ଛାତ୍ରୀଛାତ୍ରଙ୍କ ଶିକ୍ଷା ଆହରଣ ବାଧାପ୍ରାପ୍ତ ହେଉଛି। ଏ ସମ୍ପର୍କରେ ମଣ୍ଡଳ ଶିକ୍ଷାଧିକାରୀ ସ୍ବାଇଁ କହିଛନ୍ତି, ସ୍ଥାନୀୟ ନୂଆପଡ଼ା ସ୍କୁଲରେ ଶିକ୍ଷକ ନ ଥିବାରୁ ଉକ୍ତ ସ୍କୁଲକୁ କିଛିଦିନ ପାଇଁ ଶିକ୍ଷୟିତ୍ରୀ ସାସ୍‌ମଲଙ୍କୁ ପଠାଯାଇଛି। ଏହାଛଡ଼ା ମହେଶ୍ୱର ଉପ୍ରା ସ୍କୁଲରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଅଛନ୍ତି। ଅଭିଭାବକମାନେ ବୁଝୁ ନ ଥିବାରୁ ଏ ସମ୍ପର୍କରେ ସେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ଅପରପକ୍ଷେ ଏ ସମ୍ପର୍କରେ ଗୁରୁବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ମହେଶ୍ୱର ଉପ୍ରା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି। ଡେପୁଟେଶନ ବାତିଲ ନ ହେବା ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବେ ନାହିଁ ବୋଲି ସେ କହିଛନ୍ତି।