ଟେଲିସ୍କୋପ୍‌ ଲେନ୍ସରେ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଶିକ୍ଷା

କର୍ଲାମୁଣ୍ଡା,୩।୪(ଡି.ଏନ୍‌.ଏ.): ମହାକାଶ ବିଜ୍ଞାନ ପ୍ରତି ଗ୍ରାମାଞ୍ଚଳ ଛାତ୍ରୀଛାତ୍ର କିପରି ଆକର୍ଷିତ ହେବେ ସେନେଇ ଆଗେଇ ଆସିଛନ୍ତି ଜଣେ ଉଦୀୟମାନ ଯୁବ ପିଏଚ୍‌ଡି (କୋଷ ବିଜ୍ଞାନ) ଛାତ୍ର ପରେଶ୍‌ ପ୍ରିୟଦର୍ଶନ ରଣା।

କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ରଣାଙ୍କ ପୁଅ ପରେଶ୍‌ ନିଜ ଟେଲିସ୍କୋପ୍‌ ଲେନ୍ସରେ ବିଭିନ୍ନ ସ୍କୁଲକୁ ଯାଇ ମହାକାଶ ଉପରେ ଶିକ୍ଷା ଦେଉଛନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ର ଚନ୍ଦ୍ରପୃଷ୍ଠ ଏବଂ ଶନି ବଳୟ ଦେଖିବାକୁ ପାଉଛନ୍ତି। ଏଥିରେ ଛାତ୍ରୀଛାତ୍ର ଉତ୍ସାହିତ ହୋଇ ମହାକାଶ ଉପରେ ଅଧିକ ଜାଣିବା ନେଇ ଆଗ୍ରହ ପ୍ରକାଶ କରୁଛନ୍ତି।

ପରେଶ୍‌ଙ୍କ ମତ ଅନୁସାରେ, ଗ୍ରାମାଞ୍ଚଳ ପିଲାମାନେ ବିଜ୍ଞାନ ପାଠ ପଢ଼ିବାକୁ ଏବେ ବି ଭୟ କରନ୍ତି। ବିଜ୍ଞାନ ବିଷୟ ଭୟ ନୁହେଁ ବରଂ ଏକ ସୁଯୋଗ ବୋଲି ବିଶ୍ୱାସ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ବ୍ୟବହାରିକ ଅଭିଜ୍ଞତା ମାଧ୍ୟମରେ ଶିକ୍ଷାର ବିସ୍ତାର କରିବାର ଏହା ଏକ ଉଦ୍ୟମ ବୋଲି ସେ କହନ୍ତି। ପ୍ରକାଶଥାଉ କି, ପରେଶ୍‌ ବର୍ତ୍ତମାନ ସ୍କଟ୍‌ଲାଣ୍ଡର ଇଡେନ୍‌ବର୍ଗ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁଥିବା ବେଳେ ଗ୍ରାମାଞ୍ଚଳରେ ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।