କୋଲକାତା,୧୬।୨: ପ୍ରଥମେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜକୁ ୧୫୭/୭ରେ ରୋକି ଦେଇଥିଲା ଟିମ୍ ଇଣ୍ଡିଆ। ତା’ ପରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ପାଳି ଯୋଗୁ ଭାରତୀୟ ଦଳ ପ୍ରଥମ ଟି୨୦ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜକୁ ୬ ଉଇକେଟରେ ହରାଇ ଦେଇଛି। ଏହି ମ୍ୟାଚ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ଲେଗ୍ ସ୍ପିନର ରବି ବିଷ୍ଣୋଇ ଦୁଇ ଉଇକେଟ ନେଇଥିଲେ। ବିଜୟ ସହ ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ର ଅଗ୍ରଣୀ ହାସଲ କରିଛି। ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୧୮ ତାରିଖରେ ଇଡେନ ଗାର୍ଡେନ୍ସରେ ଖେଳାଯିବ।
୧୫୮ ରନ୍ର ଟାର୍ଗେଟ ନେଇ ଓହ୍ଲାଇଥିବା ଭାରତୀୟ ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଓ ଇଶାନ କିଷନଙ୍କ ଓପନିଂ ଯୋଡ଼ି। ଦୁହେଁ ୭.୨ ଓଭରରେ ୬୪ ରନ୍ ଯୋଡ଼ିଥିଲେ। ପ୍ରଥମ ବ୍ୟାଟର ଭାବେ ଆଉଟ୍ ରୋହିତ ୧୯ ବଲରେ ଖେଳିଥିଲେ ୪୦ ରନ୍ର ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୪ ଚୌକା ଓ ୩ ଛକା। ତା’ ପରେ କ୍ରମାଗତ ବ୍ୟବଧାନରେ କିଷନ ୩୫ (୪ ଚୌକା), ବିରାଟ କୋହଲି (୧୭) ଓ ରିଷଭ ପନ୍ତ (୮)ଙ୍କ ଉଇକେଟ ହରାଇଥିଲା ଭାରତ। ଏହାସତ୍ତ୍ୱେ ଘରୋଇ ଦଳ ମ୍ୟାଚ୍ରେ ଶେଷ ପର୍ଯ୍ୟନ୍ତ ଆଗୁଆ ରହିଥିଲା। ସୂର୍ଯ୍ୟକୁମାର ଯାଦବ (୩୪ ରନ୍) ଓ ଭେଙ୍କଟଶ ଆୟାର(୨୪) ୧୮.୫ ଓଭରରେ ୪ ଉଇକେଟ ହରାଇ ୧୬୨ ରନ୍ କରିଥିଲା।