Categories: ଖେଳ

ଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍‌’କୁ ନେଇ ବିତର୍କ ବଢ଼ୁଛି

ନୂଆଦିଲ୍ଲୀ,୨୯।୨: ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ବୁଧବାର ପ୍ରକାଶ ପାଇବା ପରଠାରୁ ବିବାଦୀୟ ସ୍ଥିତି ଉପୁଜିଛି। ତାଲିକାରେ କିଛି ଖେଳାଳି ବାଦ୍‌ ପଡ଼ିଥିବା ବେଳେ କିଛି ପ୍ରଥମ ଥର ଲାଗି ସାମିଲ ହୋଇଛନ୍ତି। ସିଧାସଳଖ ଆଦେଶ ଅବମାନନା କରି ରଣଜୀ ଟ୍ରଫି ଖେଳି ନ ଥିବାରୁ ଆୟର-କିଶନଙ୍କ ନାମ ତାଲିକାରେ ନାହିଁ। ଏହାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ୨ ଖେଳାଳିଙ୍କୁ ନେଇ ବିତର୍କ ବଢ଼ିଛି।
ବିସିସିଆଇ ତାଲିକାରେ ୩୦ ଖେଳାଳିଙ୍କୁ ଭିନ୍ନ ଭିନ୍ନ ଗ୍ରେଡ୍‌ରେ ବର୍ଷକର କଣ୍ଟ୍ରାକ୍ଟ ଦିଆଯାଇଛି। ସେଥିରୁ ଦୁଇଜଣ ଖେଳାଳିଙ୍କ ଗ୍ରେଡ୍‌କୁ ନେଇ ବିତର୍କ ହେଉଛି। ସେମାନେ ହେଲେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

ଇଲଂଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୫୦୦ ଉଇକେଟ ପୂରଣ କରିଥିବା ଅଶ୍ୱିନ ଏହି ଫର୍ମାଟରେ ଭାରତର ନମ୍ବର ୧ ବୋଲର୍‌ ଅଟନ୍ତି। ସେ ବିଗତ ଅନେକ ବର୍ଷ ଧରି ‘ଏ’ ଗ୍ରେଡ୍‌ରେ ଅଛନ୍ତି। ଏହାକୁ ନେଇ ବିଶେଷଜ୍ଞ ଏବଂ ପ୍ରଶଂସକମାନେ ସନ୍ତୁଷ୍ଟ ନୁହନ୍ତି। କାରଣ ଅଶ୍ୱିନଙ୍କୁ ମଧ୍ୟ ବିରାଟ, ରୋହିତ, ବୁମ୍‌ରା, ଜାଡେଜାଙ୍କ ଭଳି ‘ଏ+’ରେ ରଖାଯିବା ଉଚିତ ବୋଲି ସମସ୍ତେ ଭାବୁଛନ୍ତି।

ସେହିଭଳି ଅଶ୍ୱିନଙ୍କୁ ‘ଏ+’ ନ ମିଳିବାକୁ ନେଇ ବିବାଦର ଅନ୍ୟତମ କାରଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ‘ଏ’ ମିଳିବା। ହାର୍ଦ୍ଦିକ ଗତ ବର୍ଷ ଅକ୍ଟୋବରରେ ବିଶ୍ୱକପ୍‌ର ୪ ମ୍ୟାଚ୍‌ ପରେ ଆହତ ହୋଇଥିଲେ। ଏହାପରେ ସେ ଟିମ୍‌ରୁ ବାଦ ପଡ଼ିଛନ୍ତି। ଆଇପିଏଲ୍‌ରେ ସେ ଖେଳିବାକୁ ଥିବା ବେଳେ ଟି୨୦ ବିଶ୍ୱକପ୍‌ ମଧ୍ୟ ଖେଳିବାର ସମ୍ଭାବନା ରହିଛି। ତେବେ ତାଙ୍କ ଫିଟ୍‌ନେସ୍‌କୁ ନେଇ ସନ୍ଦେହ ଉପୁଜିଛି। ଏହି କାରଣରୁ ତାଙ୍କୁ ‘ଏ’ କାଟାଗୋରୀରେ ରଖିବାକୁ ନେଇ ସମସ୍ତେ ସହମତ ନୁହନ୍ତି।

ପାଣ୍ଡ୍ୟା ଗତ ୨-୩ ବର୍ଷରେ ଅଧିକାଂଶ ସମୟରେ ଆଘାତ ସମସ୍ୟାକୁ ନେଇ ମଇଦାନ ବାହାରେ ବିତାଇଛନ୍ତି। କହିବାକୁ ଗଲେ କମ୍‌ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟ କ୍ରିକେଟରୁ ମଧ୍ୟ ସେ ଦୂରରେ ରହିଛନ୍ତି। ଏମିତିରେ ତାଙ୍କୁ ‘ଏ’ ଗ୍ରେଡ୍‌ କଣ୍ଟ୍ରାକ୍ଟ ମିଳିବା ଅନେକ ଲୋକଙ୍କୁ ପସନ୍ଦ ଆସୁନାହିଁ।
Share