Categories: ଖେଳ

ଚିନ୍ତାରେ ଟିମ ଇଣ୍ଡିଆର ପ୍ରଶଂସକ, ହୋଟେଲରେ ଫସି ରହିଛନ୍ତି ଖେଳାଳି, ଫଟୋ ଶେୟାର କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧।୭: ଆଇସିସି ଟି -୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଘରକୁ ଫେରିବାରେ ବିଳମ୍ବ ହେଉଛି। ବାରବାଡୋସରେ ଖରାପ ପାଗ ଯୋଗୁଁ ସମସ୍ତ ବିମାନ ବାତିଲ କରାଯାଇଛି। ଏହି କାରଣରୁ ଭାରତୀୟ ଦଳର ଖେଳାଳି ଏବଂ କର୍ମଚାରୀମାନେ ହୋଟେଲ ରୁମରେ ବନ୍ଦ ହୋଇ ରହିଛନ୍ତି। ଟିମ ଇଣ୍ଡିଆକୁ ଭାରତ ଫେରିବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକମାନେ ଚିନ୍ତିତ ଅଛନ୍ତି। କ୍ୟାପଟେନ ରୋହିତ ଶର୍ମା ସମସ୍ତଙ୍କ ସହ ଏକ ଫଟୋ ଶେୟାର କରି ବାରବାଡୋସରେ ଦଳର ସୁସ୍ଥତାର ବାର୍ତ୍ତା ଜଣାଇଛନ୍ତି।

ଆଇସିସି ଟି -୨୦ ବିଶ୍ୱକପ ଜିତିବା ପରେ ଟିମ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପହଞ୍ଚି ପାରି ନାହିଁ। ବାରବାଡୋସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ରୋମାଞ୍ଚକର ଫାଇନାଲ ଜିତି ଭାରତ ଟ୍ରଫିକୁ କବଜା କରିଥିଲା। ପାଣିପାଗ ବିଭାଗ ଦ୍ୱାରା ଜାରି ହୋଇଥିବା ସାଇକ୍ଲୋନ ଚେତାବନୀ ଯୋଗୁଁ ବାରବାଡୋସର ସମସ୍ତ ବିମାନବନ୍ଦର ବନ୍ଦ ରହିଛି। ଏହି କାରଣରୁ ସମସ୍ତ ବିମାନ ମଧ୍ୟ ବାତିଲ ହୋଇଛି। ତେଣଉ ଭାରତୀୟ ଖେଳାଳି ସେଠାରେ ବାଧ୍ୟ ହୋଇ ଅଟକି ରହିଛନ୍ତି। ଭାରତୀୟ ଦଳର ପ୍ରଶଂସକମାନେ ଖେଳାଳିଙ୍କୁ ନେଇ ଚିନ୍ତିତ ଅଛନ୍ତି। ଏହି ସମୟରେ ଅଧିନାୟକ ରୋହିତ ଶର୍ମା ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଶେୟାର କରି ସମସ୍ତଙ୍କ ଚିନ୍ତା ଦୂର କରଛନ୍ତି। ହିଟ ମ୍ୟାନ ବିଛଣାରେ ଶୋଇଥିବାର ଏକ ଫଟୋ ପୋଷ୍ଟ କରି ଗୁଡମର୍ଣ୍ଣିଂ ଲେଖିଥିଲେ। ବର୍ତ୍ତମାନ ରୋହିତ ଶର୍ମାଙ୍କର ଶୁଭ ସକାଳ ଥିବାରୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି। ବିପଦପୂର୍ଣ୍ଣ ଝଡ଼ର ଭୟ ଯୋଗୁଁ ଭାରତୀୟ ଦଳର ଖେଳାଳିମାନେ ହୋଟେଲରେ ରହିଛନ୍ତି। ପିଟିଆଇ ଖବର ଅନୁଯାୟୀ ପାଗ ସୁଧାରିବା ପାଇଁ ଅପେକ୍ଷା କରି ପ୍ରାୟ ୭୦ଜଣ ସଦସ୍ୟ ଝଡ଼ ଯୋଗୁଁ ଅଟକି ଯାଇଛନ୍ତି। ପାଣିପାଗରେ ପରିବର୍ତ୍ତନ ହେବା ମାତ୍ରେ ସମସ୍ତ ସଦସ୍ୟଙ୍କୁ ଚାର୍ଟର ଫ୍ଲାଇଟ ଦ୍ୱାରା ବାରବାଡୋସରୁ ବ୍ରିଜଟାଉନକୁ ସ୍ଥାନାନ୍ତର କରାଯିବ। ଏହାପରେ ଟିମ ଇଣ୍ଡିଆ ଏବଂ ତାଙ୍କ ସହିତ ଥିବା କୋଚିଂ ଦଳ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

Share