Categories: ଖେଳ

ଟିମ୍‌ ଇଣ୍ଡିଆର ସଦସ୍ୟଙ୍କୁ ଘୁଷୁରି, ଗୋମାଂସ ଖାଇବା ମନା

ନୂଆଦିଲ୍ଲୀ,୨୩।୧୧: ଆସନ୍ତା ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଯାଉଛି ଭାରତୀୟ ଦଳ। କାନପୁର ଟେଷ୍ଟ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମ ହାତରେ ଲାଗିଛି ଟିମ୍‌ ଇଣ୍ଡିଆର ‘କ୍ୟାଟରିଂ ଆବଶ୍ୟକତା ଓ ମେନ୍ୟୁ’। ତେବେ ମେନ୍ୟୁରେ ବିଭିନ୍ନ ଆଇଟମର ନାମ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ସ୍ଥାନ ପାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଘୁଷୁରି ଓ ଗୋମାଂସରୁ ପ୍ରସ୍ତୁତ କୌଣସି ଆଇଟମ୍‌ ଖେଳାଳିଙ୍କୁ ପରସା ଯାଇପାରିବ ନାହିଁ। ଅନ୍ୟ ଏକ ସୂଚନାରେ କୁହାଯାଇଛି, କେବଳ ହଲାଲ ହୋଇଥିବା ମାଂସରୁ ପ୍ରସ୍ତୁତ ଆଇଟମ ଖେଳାଳିଙ୍କୁ ଖାଇବାକୁ ଦିଆଯିବ।

ଏହା ଦର୍ଶାଉଛି ଭାରତୀୟ କ୍ରିକେଟ ଦଳ ଖେଳାଳିଙ୍କ ଫିଟ୍‌ନେସକୁ ସର୍ବାଧିକ ଗୁରୁତ୍ୱ ଦେଉଛି। ଖେଳାଳିଙ୍କ ଫିଟନେସ ସ୍ତରକୁ ବଜାୟ ରଖିବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ମେନ୍ୟୁରେ ଏଭଳି ସୂଚନା ଜାରି କରିଛି।

ଉଲ୍ଲେଖଯୋଗ୍ୟ, ବିରାଟ କୋହଲିଙ୍କ ଅନୁପସ୍ଥିତିରେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱ ଟିମ୍‌ ଇଣ୍ଡିଆ ପ୍ରଥମ ଟେଷ୍ଟ ଖେଳିବ। ଦ୍ୱିତୀୟ ତଥା ମୁମ୍ବାଇ ଟେଷ୍ଟ ଲାଗି କୋହଲି ଦଳକୁ ଫେରିବେ।

Share