Categories: ଖେଳ

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଟିମ୍‌ ଇଣ୍ଡିଆ

ଧର୍ମଶାଳା,୨୨।୧୦: ବିଶ୍ୱକପ୍‌ର ୨୧ତମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଛି। ୨୭୪ ରନ୍‌ର ପିଛା କରି ଭାରତ କିଓ୍ବି ଟିମ୍‌କୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ କୋହଲି ସର୍ବାଧିକ ୯୫ ରନ୍‌ର ପାଳି ଖେଳି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯଦିଓ ସେ ନିଜ ଶତକ ପୂରଣ କରିପାରି ନ ଥିଲେ କିନ୍ତୁ ଗୋଟିଏ ପଟେ ସେ ଭାରତୀୟ ଇନିଂସକୁ ସମ୍ଭାଳିଥିଲେ। ଏହି ବିଜୟ ସହ ଭାରତ ବିଶ୍ୱକପ୍‌ ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ପହଞ୍ଚିଛି। ବର୍ତ୍ତମାନ ଭାରତରେ ୧୦ ପଏଣ୍ଟ ରହିଛି। ଏଥି ସହିତ ନ୍ୟୁଜିଲାଣ୍ଡ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି ଏବଂ ଏହି ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ  ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ସମସ୍ତ ଉଇକେଟ ହରାଇବା ପରେ ୨୭୩ ରନ ସଂଗ୍ରହ କରିଥିଲା। ନ୍ୟୁଜିଲାଣ୍ଡ ପାଇଁ ଡାରିଲ ମିଚେଲ ସର୍ବାଧିକ ୧୩୦ ରନ ସ୍କୋର କରିଥିଲେ। ରାଚିନ ରବିନ୍ଦ୍ର ୭୫ ରନ ଏବଂ ଗ୍ଲେନ ଫିଲିପ୍ସ ୨୩ ରନ ଯୋଗଦାନ କରିଥିଲେ। ଭାରତ ପାଇଁ ମହମ୍ମଦ ଶାମି ପାଞ୍ଚ ଉଇକେଟ ନେଇଥିଲେ ଏବଂ କୁଲଦୀପ ଯାଦବ ଦୁଇଟି ଉଇକେଟ ନେଇଛନ୍ତି। ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବିରାଟ କୋହଲି ଭାରତ ପାଇଁ ୯୫ ରନର ଇନିଂସ ଖେଳିଥିଲେ। ରୋହିତ ଶର୍ମା ୪୬ ରନ ସଂଗ୍ରହ କରି ରବିନ୍ଦ୍ର ଜାଡେଜା ୩୯ରନ ସ୍କୋର କରିଥିଲେ। ଶ୍ରେୟସ ୩୩ ରନ, ରାହୁଲ ୨୭ ରନ ଏବଂ ଗିଲ ୨୬ ରନ ଯୋଗଦାନ କରିଥିଲେ। ନ୍ୟୁଜିଲାଣ୍ଡ ପାଇଁ ଲକି ଫର୍ଗୁସନ ଦୁଇଟି ଉଇକେଟ ନେଇଥିଲେ। ଏହି ସମୟରେ ବୋଲ୍ଟ-ହେନେରୀ ଏବଂ ସାଣ୍ଟନର୍‌ ପ୍ରତ୍ୟେକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ ୨୯ ଅକ୍ଟୋବରରେ ଇଂଲଣ୍ଡ ସହିତ ହେବ।

 

Share