ବଦ୍‌ଲା ନେବ ଭାରତ, ଏହି ଦେଶ ସହ ବଡ଼ ମୁକାବିଲା

ନୂଆଦିଲ୍ଲୀ, ୨୫।୬: କଙ୍ଗାରୁ ଦଳକୁ ହରାଇ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି । ସୁପର-୮ର ଶେଷ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ହରାଇବା ସହିତ କ୍ରମାଗତ ତୃତୀୟ ମ୍ୟାଚ୍‌ ଜିତି ସେମିଫାଇନାଲରେ ପହଞ୍ଚିଛି । ଟିମ ଇଣ୍ଡିଆ ଗ୍ରୁପ-୧ ରେ ପ୍ରଥମ ସ୍ଥାନରେ ରହି ୪ ପଏଣ୍ଟ ପାଇଛି । ତେବେ ସେମିଫାଇନାଲ୍‌ରେ ଦଳ ଇଂଲଣ୍ଡକୁ ଭେଟିବ । ଏହା ସହିତ ଟିମ ଇଣ୍ଡିଆକୁ ୨ ବର୍ଷ ପୁରୁଣା ପରାଜୟର ପ୍ରତିଶୋଧ ନେବାର ସୁଯୋଗ ମିଳିବ ।

ସୁପର ୮ର ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ ଜିତିବା ପରେ କ୍ରିକେଟ୍‌ ପ୍ରେମୀ ଏକ ପ୍ରକାର ନିଶ୍ଚିତ ଥିଲେ ଯେ ଟିମ ଇଣ୍ଡିଆ ସେମିଫାଇନାଲ୍‌ରେ ପହଞ୍ଚିବ। କିନ୍ତୁ ହାରିଥିଲେ ବାଦ୍‌ ପଡ଼ିବାର ମଧ୍ୟ ଆଶଙ୍କା ରହିଥିଲା । ହେଲେ ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ଚକ୍‌ମା ଦେଇ ପରାସ୍ତ କରିଛି ଦଳ ।
ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜକୁ ପରାସ୍ତ କର ଗ୍ରୁପ୍‌-୨ରେ ପ୍ରଥମ ସ୍ଥାନ ହାସଲ କରିଥିଲା ଟିମ୍‌ ଇଂଲଣ୍ଡ । ଏଥିସହିତ ସେମିଫାଇନାଲରେ ପ୍ରବେଶ କରିଥିଲା। ତେବେ ବିଶ୍ୱକପ କାର୍ଯ୍ୟସୂଚୀ ଅନୁସାରେ ଯଦି ଟିମ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରେ, ତେବେ ସୁପର- ୮ ଗ୍ରୁପ ପରେ ଦଳ ଦ୍ୱିତୀୟ ସେମିଫାଇନାଲ ଖେଳିବ। ଏହି ସେମିଫାଇନାଲ ଜୁନ ୨୭ ରେ ଗୁଇନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ରାତି ୮ ଟାରୁ ଆରମ୍ଭ ହେବ ।

ସୂଚନା ଥାଉକି, ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରି ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ପହଞ୍ଚିଛି।

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ଦମ୍‌ଦାର ୯୨ ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୦୫ ରନ୍‌ କରିଥିଲେ। ଯବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ମିଳିତ ଅବଦାନ ବଳରେ ଭାରତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି।

Share