ଚେନ୍ନାଇ,୧୬।୨: ଜବରଦସ୍ତ ବୋଲିଂ ଓ ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ଚେନ୍ନାଇ ଟେଷ୍ଟରେ ବିଜୟ ହାସଲ କରିଛି। ଫଳରେ ଚାଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ ସ୍ଥିତିକୁ ଆସିଛି। ମ୍ୟାଚର ତୃତୀୟ ଦିବସରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦମଦାର ଶତକ ଓ କ୍ୟାପଟେନ ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇଥିଲା। ଏଥିସହ ଭ୍ରମଣକାରୀ ଦଳ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡା କରିଥିଲା। ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୫୩ ରନ କରଥିଲା। ମ୍ୟାଚ ଜିତିବା ପାଇଁ ଚତୁର୍ଥ ଦିବସରେ ଭାରତକୁ ୭ ଉଇକେଟ ଦରକାର ହେଉଥିବା ବେଳେ ଇଂଲଣ୍ଡ ମାତ୍ର ୧୬୪ ରନ୍ରେ ଅଲଆଉଟ୍ ହୋଇଥିଲା। ଫଳରେ ଭାରତ ଏହି ମ୍ୟାଚ୍କୁ ୩୧୭ ରନ୍ରେ ଜିତି ନେଇଛି। ସିରିଜ୍ର ତୃତୀୟ ଟେଷ୍ଟ ଫେବୃୟାରୀ ୨୪ରୁ ଅହମଦାବାଦର ମୋତେରା ଷ୍ଟାଡିୟମରେ ଖେଳାଯିବ।