Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୨୭।୯: ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌ର ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମରୁ ରବିନ୍ଦ୍ର ଜାଡେଜା, ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇଥିବା ବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଦୀପକ ହୁଡାଙ୍କ ନାମ। ହୁଡାଙ୍କ ପିଠିରେ ସମସ୍ୟା ଥିବାରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଛନ୍ତି। ଏବେ ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସାମିଲ କରାଯାଇଥିବା ସୂଚନା ମିଳିଛି। ତେବେ ୨୭ ବର୍ଷୀୟ ହୁଡାଙ୍କୁ ଆଘାତ ଗମ୍ଭୀର ଥିବାରୁ ସେ ଏନସିଏରେ ରିହାବ ଲାଗି ଯାଇପାରନ୍ତି ବୋଲି କୁହାଯାଉଛି।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଟିମରେ ହୁଡାଙ୍କୁ ସାମିଲ କରାଯାଇଥିଲା। ହେଲେ ଏବେ ସେ ଆହତ ହେବା କାରଣରୁ ବିଶ୍ୱକପ୍‌ରେ ସେ ଖେଳିବା ଅସମ୍ଭବ ମନେ ହେଉଛି। ଏବେ ତାଙ୍କ ସ୍ଥାନରେ ବିଶ୍ୱକପ୍‌ ଲାଗି କାହାକୁ ସୁଯୋଗ ମିଳିବ ତାହା ଚର୍ଚ୍ଚାର ବିଷୟ ପାଲଟିଛି।
ଆଇସିସି ନିୟମାନୁଯାୟୀ ପ୍ରତିଟି ଟିମ୍‌ ପାଖରେ ଖେଳାଳି ପରିବର୍ତ୍ତନ ଲାଗି ଅକ୍ଟୋବର ୯ ଯାଏର ସମୟ ରହିଛି। ଏମିତିରେ ହୁଡାଙ୍କ ସ୍ଥାନରେ ଶ୍ରେୟସ ଆୟାର, ସଞ୍ଜୁ ସାମସନ ନଚେତ ଦୀପକ ଚାହରଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି। ତେବେ ଆଗାମୀ ଦିନରେ ଚିତ୍ର ସ୍ପଷ୍ଟ ହୋଇଯିବ।

Share