ଡେରାଡୁନ୍/ନୂଆଦିଲ୍ଲୀ,୧୬ା୧୧: ଉତ୍ତରାଖଣ୍ଡର ଚାରଧାମ୍ସ୍ଥିତ ଏକ ନିର୍ମାଣାଧୀନ ଟନେଲରେ ରବିବାର ସକାଳଠାରୁ ଫସିରହିଥିବା ୫ ଓଡ଼ିଆଙ୍କ ସମେତ ୪୦ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେଶନ୍ ଜାରି ରହିଛି। ଭାରତୀୟ ବାୟୁସେନାର ୩ଟି ସ୍ବତନ୍ତ୍ର ବିମାନ ସମେତ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତିକୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି। ତେବେ ଭୂସ୍ଖଳନ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ୨୦୧୮ରେ ଥାଇଲାଣ୍ଡର ଚିଆଙ୍ଗ୍ ରାଇ ପ୍ରଦେଶସ୍ଥିତ ଥାମ୍ ଲୁଆଙ୍ଗ୍ ନାଙ୍ଗ୍ ନନ୍ ଗୁମ୍ଫାରେ ଫସିଥିବା ଜୁନିୟର ଫୁଟ୍ବଲ୍ ଖୋଳାଳିମାନଙ୍କୁ ଉଦ୍ଧାର କରିଥିବା ସ୍ପେଶାଲ ଟିମ୍କୁ ଉଦ୍ଧାରରେ ସହାୟତା ପାଇଁ ଅନୁରୋଧ କରାଯାଇଛି।
ଏଥିସହ ନରଓ୍ବେର ଏକ ଉଦ୍ଧାରକାରୀ ଦଳକୁ ମଧ୍ୟ ଯୋଗାଯୋଗ କରାଯାଇଛି। ଘଟଣାସ୍ଥଳକୁ ଦିଲ୍ଲୀରୁ ସ୍ବତନ୍ତ୍ର ମେଶିନ୍ ଅଣାଯାଉଛି। ଏହି ମେଶିନ୍ ଘଣ୍ଟାକ ମଧ୍ୟରେ ଭଗ୍ନାବଶେଷର ୪-୫ ମିଟର ଭିତରକୁ ଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ସହାୟକ ହେବ ବୋଲି କୁହାଯାଉଛି।