Categories: ଖେଳ

ସମ୍ବଲପୁରକୁ ଦଳଗତ ଟାଇଟଲ

ସମ୍ବଲପୁର,୧୧ା୯ (ବି.ଶଙ୍କର): ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବ ଆକୂକୂଲ୍ୟରେ ୧୧ତମ ଖଟେଶ୍ୱର ପାଣ୍ଡେ ସ୍ମାରକୀ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା-୨୦୨୩ ରବିବାର ସମ୍ବଲପୁରରେ ସମ୍ପନ୍ନ ହୋଇଯାଇଛି। ସମ୍ବଲପୁର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ଜିଲାକ୍ରୀଡା ସଂଘ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ଓ କ୍ରୀଡାସଙ୍ଗଠକ ସଂଗ୍ରାମ କେଶରୀ ସାହାଣୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ। ସମ୍ବଲପୁରସ୍ଥିତ ଡାକ୍ତର ଝସକେତନ ସାହୁ ସନ୍ତରଣାଗାରଠାରେ ୫ରୁ ୮୦ ବର୍ଷ ବୟସ ମଧ୍ୟରେ ୧୮ଟି ବିଭାଗରେ ଇଭେଣ୍ଟ ହୋଇଥିଲା। ୫୦ମିଟର ଫ୍ରିଷ୍ଟାଇଲ, ବଟର ଫ୍ଳାଏ, ବେଷ୍ଟଷ୍ଟ୍ରୋକ ଓ ବ୍ୟାକ୍‌ ଷ୍ଟ୍ରୋକ ଇଭେଣ୍ଟରେ ପ୍ରତିଯୋଗୀମାନେ ଭାଗନେଇଥିଲେ।

ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସାଟିର୍ଫିକେଟ ପ୍ରଦାନ କରାଯାଇଥିଲା। ସେହିପରି ୩୫ ପ୍ରତିଯୋଗୀଙ୍କ ମଧ୍ୟରେ ୫୦ ଓ ୨୫ ମିଟର କିଟ ବୋଟ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାଗନେଇଥିବା ସମସ୍ତ ୩୫ଜଣଙ୍କୁ ଉତ୍ସାହିତ କରିବାକୁ ଟ୍ରଫି ଦିଆଯାଇଥିଲା। ସମ୍ବଲପୁର ଜିଲା ଦଳଗତ ଚାମ୍ପିୟନ ଓ ଭୁବନେଶ୍ୱରର କିଟ୍‌ ରନରଅପ୍‌ ଟ୍ରଫି ହାସଲ କରିଛି। ସମ୍ବଲପୁର ସମେତ ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ, ଝାରସୁଗୁଡା, ରାଉରକେଲା, ସୁନ୍ଦରଗଡ, ଭୁବନେଶ୍ୱର କିଟ୍‌, ପୁରୀ, ଗଞ୍ଜାମ, ରାୟଗଡା ଅଞ୍ଚଳରୁ ୩୭୬ ପ୍ରତିଯୋଗୀ ଭାଗନେଇଥିଲେ। ଓଡିଶା ମାଷ୍ଟର୍ସ ସୁଇମର୍ସ କ୍ଲବ ସଭାପତି ପ୍ରେମରଞ୍ଜନ ପ୍ରଧାନଙ୍କ ପରିଳାନରେ ଉଦଘାଟନୀ ଉତ୍ସବ ହୋଇଥିଲା।

ସନ୍ଧ୍ୟାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଶିକ୍ଷା ନବିଶ ଭାରତୀୟ ପ୍ରଶାସନିକ ସେବା ସ୍ନେହା ଅରୁଗୁଲ ମୁଖ୍ୟ ଅତିଥି ଓ ସମ୍ବଲପୁର ଜିଲା ଶାରୀରୀକ ଶିକ୍ଷା ନିରୀକ୍ଷକ ଜଗବନ୍ଧୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସମ୍ପାଦକ ସୁନ୍ଦରମଣୀ ବାରିକ ପ୍ରତିଯୋଗିତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ ଓ ଶିକ୍ଷକ ଅସୀମ ପ୍ରଧାନ ପୁରସ୍କାର ବିତରଣୀରେ ସଂଯୋଜନା କରିଥିଲେ। କୋଷାଧ୍ୟକ୍ଷ ଅନୀଲ ବେରିହା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାକ୍ତନ ସନ୍ତରଣ ପ୍ରଶିକ୍ଷକ ସୁରେନ୍ଦ୍ର ନାଏକ, ଗଙ୍ଗା ଓରାମ, ଚିନ୍ତନ ନାଏକ ଇଭେଣ୍ଟ ପରିଚାଳନା କରିଥିଲେ। ସାହେବ ଖମାରୀ, ବଦ୍ରିନାରାୟଣ ପୁରୋହିତ, ରଙ୍କନିଧି ସେଟଙ୍କ ସମେତ ଆୟୋଜନ କ୍ଲବର ସଭ୍ୟାସଭ୍ୟ ସହଯୋଗ କରିଥିଲେ।

 

Share