ନୂଆଦିଲ୍ଲୀ,୪।୯: ଯେତେବେଳେ ଭାରତୀୟ ଦଳର ଦୁଇଜଣ କ୍ରିକେଟର କୌଣସି ମଞ୍ଚରେ ଏକାଠି ହୋଇଥାନ୍ତି, ସେତେବେଳେ ଡ୍ରେସିଂ ରୁମ୍ର ଅନେକ ମଜାଦାର କାହାଣୀ ଶୁଣିବାକୁ ମିଳିଥାଏ। ସେଭଳି କିଛି କଥା କେବିସିର ଏପିସୋଡ୍ରେ ଦେଖିବାକୁ ମିଳିଥିଲା। ଏଥିରେ ଅତିଥି ଭାବେ ଟିମ୍ ଇଣ୍ଡିଆର ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହ୍ବାଗ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଦେଖିବାକୁ ମିଳିଥିଲା। ଉଭୟ ଅମିତାଭଙ୍କୁ ସହ କ୍ରିକେଟର ଅନେକ ମଜାଦାର କାହାଣୀ ଶୁଣାଇଥିଲେ।
ଅମିତାଭ ସେହ୍ବାଗଙ୍କୁ ଡ୍ରେସିଂ ରୁମ୍ର କାହାଣୀ କହିବାକୁ କହିଥିଲେ। ଏହାର ଜବାବରେ ସେହ୍ବାଗ ମଜାଦାର ଘଟଣା ଶୁଣାଇଥିଲେ। ଏକ ମ୍ୟାଚ୍ରେ ସଚିନ ତେନ୍ଦୁଲକରଙ୍କୁ ୪ର୍ଥ ଖେଳାଳି ଭାବେ ଖେଳିବାର ଥିଲା। ହେଲେ ମ୍ୟାଚ୍ରେ ଉଇକେଟ ଶୀଘ୍ର ଯାଉଥିଲା। ଅପରପକ୍ଷେ ଫିଲ୍ଡିଂ ପରେ ଡ୍ରେସିଂ ରୁମ୍ ଆସିଥିବାରୁ ୧୦ ମିନିଟ୍ ଯାଏ ସେ ବ୍ୟାଟିଂ କରିବାକୁ ଯାଇପାରି ନ ଥିଲେ। ଭିଭିଏସ୍ ଲକ୍ଷ୍ମଣ ସେତେବେଳେ ଗାଧାଉଥିଲେ। ଏଭଳି ସମୟରେ ସୌରଭଙ୍କୁ ପଠାଇବା ଛଡ଼ା ଅନ୍ୟ ବିକଳ୍ପ ନ ଥିଲା। ସେ କିନ୍ତୁ କହିଲେ ମୁଁ ତ ୬ନଂରେ ଯିବି। ଲକ୍ଷ୍ମଣ ଆସିଲେ ନାହିଁ ଏବଂ ଉଇକେଟ ଯାଇଥିଲା। ଶେଷରେ ବାଧ୍ୟ ହୋଇ ସବୁ ଖେଳାଳିମାନେ ମିଶି ଗାଙ୍ଗୁଲିଙ୍କୁ ବୋହୂ ଭଳି ପ୍ରସ୍ତୁତ କରିଥିଲେ। କେହି କେହି ତାଙ୍କୁ ପ୍ୟାଡ୍ ପିନ୍ଧାଉଥିବା ବେଳେକେହି ଥାଇ ଗାର୍ଡ ବାନ୍ଧିଥିଲେ। ପରେ ଡ୍ରେସିଂ ରୁମ୍ରୁ ବାହାରିବା ବେଳେ ସେ ବ୍ୟାଟ୍ ନେଇ ନ ଥିବା ଦେଖିଥିଲେ। ସେ ବଡ଼ ପାଟିକରି ବ୍ୟାଟ୍ ମାଗିଥିଲେ। ଲକ୍ଷ୍ମଣକୁ ପଠାଅ ବୋଲି ବାରମ୍ବାର କହୁଥିଲେ। ହେଲେ ତାଙ୍କୁ ବ୍ୟାଟ୍ ଦେବା ପରେ ସେ ମଇଦାନକୁ ଓହ୍ଲାଇଥିଲେ। ଉକ୍ତ ମ୍ୟାଚ୍ରେ ସେ ୪୦ ରନ୍ କରି ଆସିଥିଲେ।