ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ର ଟିଜର ରିଲିଜ୍‌

ପୁରୀ,୨ା୯(ଅଜିତ ମହାନ୍ତି): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ଆସନ୍ତା ଗଣେଶ ପୂଜାରେ ରିଲିଜ୍‌ ହେବାକୁ ଯାଉଛି। ଶୁକ୍ରବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏହି ଚଳଚ୍ଚିତ୍ରର ଟିଜର ମୁକ୍ତିଲାଭ କରିଛି। ଦୀପଦାନ ପୂର୍ବକ ‘ପୁଷ୍କରା’ର ସଫଳତା କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ସମର୍ପଣ କରାଯାଇଛି। ଏହି ଅବସରରେ ଚଳଚ୍ଚିତ୍ରର ଅଭିନେତା ସବ୍ୟସାଚୀ ମହାପାତ୍ର, ଚୌଧୁରୀ ବିକାଶ ଦାସ, ଅଭିନେତ୍ରୀ ସୁପ୍ରିୟାଙ୍କ ସମେତ ଅନ୍ୟ କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଉପସ୍ଥିତ ଥିଲେ। ସବ୍ୟସାଚୀ କହିଥିଲେ, ପୁଷ୍କରା ସତ୍ୟ କାହାଣୀ ଉପରେ ଆଧାରିତ। ପୁରୀର ସାମାଜିକ ଚଳଣି ସହ ଏହାର ସମ୍ପର୍କ ରହିଛି। ପ୍ରସିଦ୍ଧ ଲେଖକ ତଥା ପୁରୀ ବାସିନ୍ଦା ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରେ ଏପରି ପରମ୍ପରା ସମ୍ପର୍କରେ ଉଲ୍ଲେଖ ରହିଛି। ଆଧୁନିକ ସମାଜରେ ପୁଷ୍କରା ପରମ୍ପରା ବିଲୁପ୍ତ ହେବାକୁ ବସିଛି। ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ପୁଷ୍କର ଛଡ଼ାଇବା ପାଇଁ ଜଣେ ପୁଷ୍କରାଙ୍କ ଆବଶ୍ୟକ ପଡ଼ିଥାଏ, ଯାହାକୁ ପୁରୀ ଲୋକକଥାରେ ଭୈରବ ବୋଲି କୁହାଯାଇଥାଏ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପୁଷ୍କରାକୁ ନାମିତ କରାଯାଇଛି। ପୁଷ୍କରାର ଜୀବନ ଓ କଥାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ପୁରୀର ବିଭିନ୍ନ ସ୍ଥାନରେ ଶୁଟିଂ ହୋଇଛି। ଟିଜର ରିଲିଜ ଅବସରରେ ପୁରୀ ସାହିଯାତ ନୃତ୍ୟ ପରିବେଷଣ କରାଯାଇଥିଲା। ଗୁରୁ ନାରାୟଣ ପାଣ୍ଡେ ଓ ସାଥୀ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସେବାୟତ ମଧୁସୂଦନ ସିଂହାରୀ, ଜୟନାରାୟଣ ମହାପାତ୍ର, ସାହିମୁରବି ଜଗନ୍ନାଥ ମହାପାତ୍ର, ଦେବେନ୍ଦ୍ର ମିଶ୍ର, ଅଶୋକ ମହାପାତ୍ର, ଅନିରୁଦ୍ଧ ରାଉତ, ଜିତେନ୍ଦ୍ର ମୁଦୁଲି ଏବଂ ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆଠସାହିର ମୁଖ୍ୟ ସଂଯୋଜକ ନରେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ଏବଂ ଶ୍ୟାମପ୍ରକାଶ ସେନାପତି ସଂଯୋଜନା କରିଥିଲେ।

Share