କରୋନା ମୁକାବିଲା ଲାଗି ବୈଷୟିକ କମିଟି ଗଠିତ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଯଦିଓ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି, ତଥାପି କାହିଁକି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ବଢ଼ୁଛି ତାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ତେଣୁ ସରକାର କରୋନା ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ମଲ୍ଟି ଡିସିପ୍ଲିନାରୀ ଟେକ୍ନିକାଲ କମିଟି ଗଠନ ହୋଇଛି। ୭ଟି ମେଡିକାଲ କଲେଜର ପ୍ରଫେସରଙ୍କୁ ନେଇ ଡାଇରେକ୍ଟୋରେଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ୍‌ ଟ୍ରେନିଂ ଦ୍ୱାରା ଏହି କମିଟି ଗଠନ କରାଯାଇଛି। କମିଟିରେ ଥିବା ପ୍ରଫେସରଙ୍କୁ ୩୦ ଜିଲାର ଦାୟିତ୍ୱ ଦିଆଯାଇଛି। ସେମାନେ ସମସ୍ତ ଜିଲା ପରିଦର୍ଶନ କରିବେ ଏବଂ କରୋନା ସ୍ଥିତି ତଦାରଖ କରିବେ। ଜିଲା ବୁଲିବା ସହିତ କରୋନା ଚିକିତ୍ସା ନେଇ ଡାକ୍ତରଙ୍କୁ ମାଗଦର୍ଶନ ଦେବେ। ଏହାପରେ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବେ। ଉକ୍ତ ରିପୋର୍ଟ ଆଧାରରେ କରୋନା ଲଢ଼େଇ ପାଇଁ ପରବର୍ତ୍ତୀ ନୂଆ ରଣନୀତି ସ୍ଥିର କରାଯିବ ବୋଲି ଜଣାପଡ଼ିଛି।

Share