ନାଗପୁର,୬।୩: ମହାରାଷ୍ଟ୍ରର ନାଗପୁର ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୫ ବର୍ଷର ନାବାଳିକା ୟୁଟ୍ୟୁବ ଦେଖି ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ପରେ ତାଙ୍କୁ ହତ୍ୟା କରି ଏକ ବାକ୍ସରେ ବନ୍ଦ କରି ଦେଇଛନ୍ତି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ନାଗପୁରର ଅମ୍ବାଜହରୀ ଅଞ୍ଚଳର ଝିଅଟି ସୋସିଆଲ ମିଡିଆ ଜରିଆରେ ଜଣେ ଯୁବକଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଏକ ପରିଚୟ ହୋଇଥିଲା। ଯୁବକ ଜଣକ ନାବାଳିକାଙ୍କୁ ଯୌନ ଶୋଷଣ କରିଥିଲେ। ପରେ ଝିଅଟି ଗର୍ଭବତୀ ହୋଇଥିଲେ। ସେ ନିଜ ମା’ଙ୍କୁ କେବଳ ଅସୁସ୍ଥତା ଥିବା ଜଣାଇ ନିଜ ଗର୍ଭଧାରଣ ଖବରକୁ ଲୁଚାଇ ରଖିଥିଲେ। କାହାକୁ ନ ଜଣାଇବା ପାଇଁ ସେ ୟୁଟ୍ୟୁବରେ ଭିଡିଓ ଦେଖିବା ଆରମ୍ଭ କଲେ। ମାର୍ଚ୍ଚ ୨ରେ, ଭିଡିଓ ଦେଖି ସେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଏବଂ ସଙ୍ଗେ ସଙ୍ଗେ ନବଜାତ ଶିଶୁଟିର ଗଳା ଚିପି ହତ୍ୟା କରିଥିଲେ। ସେ ମୃତଦେହକୁ ନିଜ ଘରେ ଥିବା ଏକ ବାକ୍ସରେ ଲୁଚାଇ ରଖିଥିଲେ।
ପୋଲିସର ସୂଚନାନୁସାରେ,ଝିଅଟିର ମା’ ଘରେ ପହଞ୍ଚିବା ପରେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବଝିଥିଲେ। ପରେ ଝିଅଟି ସବୁକଥା ଖୋଲି କହିଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ନବଜାତ ଶିଶୁର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ହତ୍ୟା ମାମଲା ରୁଜୁ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।