Categories: ଜାତୀୟ

ଓ୍ବେବ୍‌ସିରିଜ୍‌ ଦେଖିବା ନିଶାରେ ୭୫ ଲୋକଙ୍କ ଜୀବନ ବଞ୍ଚାଇ ପାରିଲେ ଏହି ନାବାଳକ

ମୁମ୍ବାଇ, ୩୧।୧୦: ମୁମ୍ବାଇ ଡୋମ୍ବିଭଲିରେ ଜଣେ ନାବାଳକଙ୍କ ଓ୍ବେବ୍‌ସିରିଜ୍‌ ଦେଖିବା ନିଶା ଯୋଗୁ ୭୫ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି।
ଘଟଣାଟି ହେଉଛି, ଡୋମ୍ବିଭଲିର କୋପର ଅଞ୍ଚଳରେ ୪୨ ବର୍ଷ ପୂରୁଣା ଏକ ବିଲ୍ଡିଂରେ ଅଘଟଣ ଘଟିଛି। ଏହି ବିଲ୍ଡିଂରେ ୧୮ ପରିବାରର ପ୍ରାୟ ୭୫ ଲୋକ ରହୁଥିଲେ। କୁନାଲ ମୋହିତ ରାତିରୁ ସକାଳ ପର୍ଯ୍ୟନ୍ତ ଓ୍ବେବ୍‌ସିରିଜ୍‌ ଦେଖୁଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୪ଟାରେ ରୋଷେଇ ଘରର କିଛି ଅଂଶ ଭାଙ୍ଗିଯିବା କୁନାଲ ଜାଣିପାରିଲେ। ପରେ ଉକ୍ତ ବିଲ୍ଡିଂଟି ଭାଙ୍ଗିବାକୁ ଯାଉଥିବା ସେ ଜାଣିପାରିଲେ। ତେଣୁ ସେ ତୁରନ୍ତ ଉକ୍ତ ବିଲ୍ଡିଂକୁ ଖାଲି କରିବାକୁ ସମସ୍ତଙ୍କୁ ଚେତାଇଦେଲେ। ଏହି ସମୟରେ ଅଧିକାଂଶ ଲୋକ ଶୋଇଥିଲେ। ଠିକ୍‌ ଏତିକି ବେଳେ ବିଲ୍ଡିଂର ଏକ ଖୁଣ୍ଟି ଭୁଷୁଡି ପଡ଼ିଲା। ଏହି ଶବ୍ଦ ଶୁଣି ସମସ୍ତେ ଘର ଭିତରୁ ବାହାରକୁ ଚାଲିଆସିଲେ। ଏହାର କିଛି ସମୟ ପରେ ଉକ୍ତ ବିଲ୍ଡିଂର ଏକ ବଡ ଅଂଶ ଭୁଷୁଡି ପଡ଼ିଲା। ଖବର ଅନୁଯାୟୀ, ଏହି ବିଲ୍ଡିଂ କେଡିଏମ୍‌ସିର ବିପଜ୍ଜନକ କୋଠା ତାଲିକାରେ ରହିଥିଲା।
୪ ବର୍ଷ ପୂର୍ବେ କେଡିଏମ୍‌ସି ଏହି ବିଲ୍ଡିଂକୁ ନୋଟିସ ଜାରିକରି ଏହାକୁ ଖାଲି କରିବାକୁ କହିଥିଲେ। କିନ୍ତୁ ବାସିନ୍ଦାମାନେ ଏହି ଚେତାବନୀକୁ ଅଣଦେଖା କରିଥିଲେ ବୋଲି କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେଶନ୍‌ର ଜଣେ ଅଧିକାରୀ କହିଛନ୍ତି।

Share