ନଷ୍ଟ ହୋଇନି ୩୫ଶହ ବର୍ଷ ପୁରୁଣା ମମିର ଦାନ୍ତ

କାଏରୋ, ୩୦ା୧୨: ଇଜିପ୍ଟର ଅନେକ ରାଜା, ରାଜ ପରିବାର ସଦସ୍ୟ, ପୂଜାରୀ ଆଦିଙ୍କୁ ମୃତ୍ୟୁ ପରେ ମମିରେ ପରିଣତ କରାଯିବା ବିଷୟ ସର୍ବଦା ଲୋକଙ୍କ ପାଇଁ ନୂଆ କିଛି ଜାଣିବାର ଉତ୍ସ ହୋଇଆସିଛି। ପୂର୍ବ ସଭ୍ୟତାର ଲୋକଙ୍କ ବିଷୟରେ ଏହା ଦ୍ୱାରା ଅନେକ ତଥ୍ୟ ମିଳିଥାଏ। ନିକଟରେ ବୈଜ୍ଞାନିକମାନେ ୩୫ ଶହ ବର୍ଷ ପୁରୁଣା ଏକ ମମିକୁ ଭର୍ଚୁଆଲ ତଥା ଆଧୁନିକ ଟେକ୍‌ନିକ୍‌ ଜରିଆରେ ଖୋଲି ଏହାର ଅଧ୍ୟୟନ କରିଛନ୍ତି। ଏହି ମମି ମିଶର ରାଜା ଫାରୋହ୍‌ ଆମେନହୋଟେପ୍‌-୧ଙ୍କର, ଯିଏ କି ୧୫୨୫ରୁ ୧୫୦୪ ବିସି ପର୍ଯ୍ୟନ୍ତ ଶାସନ କରିଥିଲେ। ଡିଜିଟାଲ ସିଟି ସ୍କାନ୍‌ ଜରିଆରେ ତାଙ୍କ ମୃତଶରୀରକୁ ସ୍କାନ କରାଯାଇଥିଲା। ଏତେ ବର୍ଷ ପରେ ବି ମମିର ଦାନ୍ତ ଏବଂ କାନ ହାଡ଼ ନଷ୍ଟ ନ ହୋଇ ସୁରକ୍ଷିତ ଥିବା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। କାହିରା ୟୁନିଭର୍ସିଟିର ଗବେଷକ ଡ. ସହର ସାଲେମ୍‌ଙ୍କ କହିବା ଅନୁଯାୟୀ, ମମିକୁ ଖୋଲାଯିବା ପରେ ଆମେନହୋଟେପ୍‌ଙ୍କ ଚେହେରା ଅବିକଳ ତାଙ୍କ ବାପାଙ୍କ ପରି ଜଣାପଡ଼ୁଥିଲା। ମୃତ୍ୟୁ ପୂର୍ବରୁ ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିଲା। ଏଥିସହ ସେ ରୋଗଗ୍ରସ୍ତ ହୋଇ ମରିଥିବାର ମଧ୍ୟ ପ୍ରମାଣ ମିଳିନାହିଁ। ବହୁ ପୂର୍ବରୁ ଏହି ରାଜକୀୟ ମମିର ସନ୍ଧାନ ମିଳିଥିଲେ ହେଁ କେହି ଏହାକୁ ଅଧ୍ୟୟନ ପାଇଁ ଖୋଲି ନ ଥିଲେ। ମୃତଶରୀରକୁ ଏକ କାଠ ଫେସ୍‌ମାସ୍କ ଏବଂ ଫୁଲମାଳରେ ସଜା ଯାଇ ମମିଫାଏ କରାଯାଇଥିଲା।

Share