ଦନ୍ତା ଦେଉଛନ୍ତି ଦୁଃଖ

ଢେଙ୍କାନାଳ,୨।୭(ରତନ ନାୟାର)ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବିଶେଷ କରି ଗୋଠଛଡ଼ା ଦନ୍ତାଙ୍କ ହିଂସ୍ର ଆଚରଣ ହାତୀ ଉପଦ୍ରୁତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ପଲରୁ ଅଲଗା ହୋଇ ବୁଲୁଥିବା ଅଣ୍ଡିରା ହାତୀଙ୍କୁ ଜଙ୍ଗଲ ମୁହଁା କରାଇବାକୁ ଯାଇ ବନ ବିଭାଗ ନୟାନ୍ତ ହୋଇପଡ଼ିଲାଣି। ଆଗକୁ ଖରିଫ୍‌ ଋତୁ ଥିବାବେଳେ ଏଭଳି ହାତୀ ଆତଙ୍କ ଚାଷୀଙ୍କ ଚିନ୍ତା ବଢ଼ାଇଛି।
ଢେଙ୍କାନାଳ ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏବେ ୨୪୦ ହାତୀ ରହିଛନ୍ତି। ତନ୍ମଧ୍ୟରୁ କେବଳ ଦନ୍ତା ହେଉଛନ୍ତି ୫୪। ସେଥିରୁ ହିନ୍ଦୋଳ ରେଞ୍ଜ୍‌ରେ ସର୍ବାଧିକ ୧୯ ଏବଂ ଏହା ପଛକୁ ସଦର ରେଞ୍ଜ୍‌ରେ ୧୬ଟି ଦନ୍ତା ବିଚରଣ କରୁଛନ୍ତି। ଖାଦ୍ୟ ଅନ୍ବେଷଣରେ ଜନବସତିକୁ ଚାଲି ଆସିଥିବା ହାତୀପଲ ଫେରୁନାହାନ୍ତି। ବ୍ୟସ୍ତବହୁଳ ଗ୍ରାମ ସଡ଼କ ପାର୍ଶ୍ୱରେ ଦନ୍ତାହାତୀ ଡେରା ପକାଇ ରହୁଛନ୍ତି। ହଠାତ୍‌ ରାସ୍ତା ଉପରକୁ ଚାଲି ଆସି ପଥଚାରୀଙ୍କୁ ଆକ୍ରମଣ କରୁଛନ୍ତି। ସେମାନଙ୍କ ହିଂସ୍ର ଆଚରଣ ବଢ଼ିବାରେ ଲାଗିଛି, ଯାହା ଏବେ ଚିନ୍ତାର ବିଷୟ ହୋଇଛି। ଗତ ଦେଢ଼ମାସରେ କେବଳ ଦନ୍ତା ଆକ୍ରମଣରେ ୧୬ଜଣଙ୍କ ମୃତ୍ୟୁ ଘଟିଛି। କାଜୁ ଏବଂ ଆମ୍ବ ସଂଗ୍ରହ କରିବାକୁ ଯାଇଥିବା ବେଳେ ୮ରୁ ୯ଜଣଙ୍କୁ ହାତୀ ଦଳିଦେଇଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି। କାଜୁ ବଗିଚାରେ ହାତୀ ଉପସ୍ଥିତି ସହଜରେ ଜଣାପଡ଼ି ନ ଥାଏ। ତେଣୁ ସେଠାରେ ଜୀବନ ପ୍ରତି ଅଧିକ ବିପଦ ରହିଥାଏ। ସେହିପରିି ସନ୍ଧ୍ୟା ୭ଟାରୁ ରାତି ୧୨ ଏବଂ ଭୋର୍‌ ୪ଟାରୁ ସକାଳ ୮ଟା ମଧ୍ୟରେ ହାତୀ ଆକ୍ରମଣ ଆଶଙ୍କା ବେଶି ରହୁଛି। ଏଭଳି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ଲାଗି ହାତୀ ଉପଦ୍ରୁତ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ସାଇରନ ଓ ଲାଇଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗକୁ ଧାନ ଚାଷ ଜୋର୍‌ ଧରିବାକୁ ଥିବାବେଳେ ଚାଷୀଙ୍କ ଧନଜୀବନର ସୁରକ୍ଷା ପାଇଁ ଗଜସାଥୀଙ୍କୁ ନିୟୋଜିତ କରାଯିବ ବୋଲି ବନ ବିଭାଗ ଯୋଜନା କରୁଛି।
ହାତୀ ଉପଦ୍ରବ ରୋକିବା ଲାଗି ବନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜିଲା ବନଖଣ୍ଡ ଅଧିକାରୀ ସୁମିତ କର କୁହନ୍ତି, ଜିଲାରେ ଦନ୍ତାଙ୍କୁ ପ୍ରତିରୋଧ କରିବା ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିଲାଗି ସମସ୍ତ ଅଧିକାରୀ, କର୍ମଚାରୀଙ୍କ ଫୋନରେ ଜିପିଆର୍‌ଏସ୍‌ ବ୍ୟବସ୍ଥା କରାଯାଇଛି। ଫଳରେ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ତତ୍‌କ୍ଷଣାତ୍‌ ସୂଚନା ମିଳିପାରୁଛି। କେତେକ ସ୍ଥାନରେ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ କର୍ମଚାରୀମାନେ ଗ୍ରାମବାସୀଙ୍କୁ ମୋବାଇଲ ମାଧ୍ୟମରେ ହାତୀ ସମ୍ପର୍କରେ ସୂଚନା ଦେଉଛନ୍ତି। ଗୋଠଛଡା ଦନ୍ତା ଉପଦ୍ରବ ବଢୁଥିବାରୁ ଗ୍ରାମାଞ୍ଚଳରେ ମାଇକ୍‌ ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି। ଆବଶ୍ୟକତା ଅନୁଯାୟୀ ପାଟ୍ରୋଲିଂ ପାଇଁ ଜିଲା ମୁଖ୍ୟାଳୟରୁ ଗାଡ଼ି ପଠାଯାଉଛି ବୋଲି ଜିଲା ବନଖଣ୍ଡ ଅଧିକାରୀ କହିଛନ୍ତି।