ଦାନ୍ତ ବିନ୍ଧୁଥିଲେ…

ଦାନ୍ତ ଯନ୍ତ୍ରଣା ଖୁବ୍‌ କଷ୍ଟଦାୟକ। ଯାହାକୁ ଦୂର କରିବାକୁ ସାଧାରଣତଃ ସମସ୍ତେ ପେନ୍‌କିଲର ଉପରେ ନିର୍ଭର କରିଥାନ୍ତି। ହେଲେ ବାରମ୍ବାର ଏହାର ବ୍ୟବହାର ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ। ତେଣୁ ଆପଣ ଚାହିଁଲେ ନିଜର ହେଉ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ଦାନ୍ତ ବିନ୍ଧୁଥିଲେ କେତେକ ଘରୋଇ ଉପାୟ ଆପଣାଇ ଏହାକୁ ଦୂର କରିପାରିବେ…
ଦାନ୍ତ ବିନ୍ଧା ସମୟରେ ଗରମ ଲୁଣପାଣି କୁଳିକରିବା ଦ୍ୱାରା ଏହି ସମସ୍ୟାରୁ କିଛି ମାତ୍ରାରେ ଉପଶମ ମିଳିଥାଏ।
ଲବଙ୍ଗରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ତେଣୁ ବିନ୍ଧୁଥିବା ଦାନ୍ତ ଉପରେ ଏକ ଲବଙ୍ଗ ରଖି କିଛି ସମୟ ଛାଡିଦିଅନ୍ତୁ କିମ୍ବା ଲବଙ୍ଗ ତେଲ ଲଗାନ୍ତୁ ଦେଖବେ ତୁରନ୍ତ ଆରାମ ମିଳିବ।
ଦାନ୍ତ ବିନ୍ଧୁଥିଲେ ପିଆଜକୁ ଛୋଟ ଛୋଟ କାଟି ଚୋବାଇବା ଦ୍ୱାରା ଶୀଘ୍ର ଉପଶମ ମିଳିଥାଏ।
ସେହିପରି ଦାନ୍ତ ବିନ୍ଧୁଥିଲେ ରସୁଣ ସହ ଅଳ୍ପ ଲୁଣ ମିଶାଇ ଚୋବାଇଲେ ଉପକୃତ ହୋଇପାରିବେ। ଏହାକୁ ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଦାନ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ।
ଭିଟାମିନ ‘ସି’ ଦାନ୍ତ ବିନ୍ଧା କମ୍‌ କରିବାରେ ସାହାଯ୍ୟ କରିଥାଏ, ଯାହାକି ଲେମ୍ବୁରେ ପ୍ରଚୁର ପରିମାଣରେ ଭରି ରହିଛି। ତେଣୁ ଆପଣ ଚାହିଁଲେ ବିନ୍ଧୁଥିବା ଦାନ୍ତ ଉପରେ ଲେମ୍ବୁ ଚୋପା ଲଗାଇ ହାଲ୍‌କା ଘଷିଲେ କଷ୍ଟ କମ୍‌ ହେବ।
ଗୋଲମରିଚ ଗୁଣ୍ଡରେ ଅଳ୍ପ ଲୁଣ ମିଶାଇ କିମ୍ବା ସୋରିଷ ତେଲରେ ଅଳ୍ପ ଲୁଣ ମିଶାଇ ଦାନ୍ତ ଘଷିଲେ ବି ବିନ୍ଧା କମ୍‌ ହୋଇଥାଏ।
ଦାନ୍ତ ବିନ୍ଧୁଥିଲେ ଦିନକୁ ଦୁଇ ତିନି ଥର ବରଫ ସେକ ଦେବା ବି ଲାଭଦାୟକ ହୋଇଥାଏ।