Categories: ବାଣିଜ୍ୟ

୨୪ରୁ ତେହରି ଆକ୍ରୋ ଫେଷ୍ଟିଭାଲ

ଭୁବନେଶ୍ୱର, ୧୬।୧୧: ଉତ୍ତରାଖଣ୍ଡ ଟୁରିଜମ୍‌ ଡେଭଲମେଣ୍ଟ ବୋର୍ଡ (ୟୁଟିଡିବି) ପକ୍ଷରୁ ଏକ ୫ ଦିନିଆ ‘ଆକ୍ରୋବାଟିକ୍‌ ଶୋ ତଥା ତେହରି ଆକ୍ରୋ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ନଭେମ୍ବର ୨୪ରୁ ୨୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଫେଷ୍ଟିଭାଲର ଭୂମିପୂଜନ କାର୍ଯ୍ୟ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଭାରତର ପ୍ରଥମ ଅନ୍ତର୍ଜାତୀୟ ଏରିୟଲ ଆକ୍ରୋବାଟିକ୍‌ ଶୋ ଉତ୍ତରାଖଣ୍ଡର ତେହରି ହ୍ରଦ ନିକଟରେ ଆୟୋଜନ ହେବ।

ଉକ୍ତ ଫେଷ୍ଟିଭାଲରେ ପ୍ରାୟ ୩୫ ଅନ୍ତର୍ଜାତୀୟ ଆଥ୍‌ଲେଟଙ୍କ ସମେତ ୧୫୦ରୁ ଅଧିକ ପାରାଗ୍ଲାଇଡର ଅଂଶ ଗ୍ରହଣ କରିବେ। ସେହିଭଳି ବର୍ତ୍ତମାନ ପାରାଗ୍ଲାଇଡିଂ ଟ୍ରେନିଂ ଏବଂ ଏରିଲ୍‌ ଆକ୍ରୋବାଟିକ୍‌ ଶୋ ପାଇଁ ଏହା ଏକ କେନ୍ଦ୍ର ପାଲଟିଛି। ବିଶେଷକରି ଭାରତ, ସାଉଦି ଆରବ, ଗ୍ରୀସ୍‌, ଚେକ୍‌ ରିପବ୍ଲିକ୍‌, ଜର୍ମାନୀ, ଅଷ୍ଟ୍ରିଆ, ଲେବାନନ୍‌, ତୁର୍କୀ, ସ୍ପେନ୍‌, ବୁଲଗେରିଆ, ସୁଇଜରଲାଣ୍ଡ, ଇରାନ, ରୁଷିଆ, ଦକ୍ଷିଣ କୋରିଆ, ମାଲେସିଆ, ଜାପାନ, ଥାଇଲାଣ୍ଡ, ଭିଏଟ୍‌ନାମ, ମଙ୍ଗୋଲିଆ, ତାଇୱାନ, ଆମେରିକା, କଲମ୍ବିଆ, ଫ୍ରାନ୍ସ, ଶ୍ରୀଲଙ୍କା ଏବଂ ନେପାଳ ଭଳି ଦେଶରୁ ଅଂଶଗ୍ରହଣକାରୀମାନେ ସାମିଲ ଅଛନ୍ତି। ଏ ସମ୍ପର୍କରେ ପର୍ଯ୍ୟଟନ ସଚିବ ସଚିନ କୁର୍ଭେ କହିଛନ୍ତି, ସ୍ଥାନୀୟ ଯୁବକମାନଙ୍କୁ ମାଗଣାରେ ଉକ୍ତ ତାଲିମ ପ୍ରଦାନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ପାରାଗ୍ଲାଇଡିଂ କେବଳ ଦୁଃସାହସିକ କ୍ରୀଡ଼ାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ରୋଜଗାରର ନୂତନ ସୁଯୋଗ ପାଇଁ ମଧ୍ୟ ଦ୍ୱାର ଖୋଲିଥାଏ।

Share