
ବଇଣ୍ଡା,୨୮ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ କାର୍ଯାଳୟରେ ଶୁକ୍ରବାର ଅନୁଗୋଳ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଲାଞ୍ଚ ନେଉଥିବା ବେଳେ ଆଠମଲ୍ଲିକ ତହସିଲ ଅଫିସର କିରାଣି ସତ୍ୟପ୍ରିୟ ନାୟକଙ୍କୁ ଗିରଫ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ ଜମି ଭାଗ କରାଇଦେବା ପାଇଁ ସେ ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟ ଠାରେ ଆବଦେନ କରିଥିଲେ। ହେଲେ ଏହି ଭାଗ ବଣ୍ଟା ପାଇଁ ତାଙ୍କୁ ସତ୍ୟପ୍ରିୟ ନାୟକ ବହୁତ ହଇରାଣ କରିବା ସହ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ସେ ଗୁରୁବାର ଅନୁଗୋଳ ଭିଜିଲାନ୍ସ କାର୍ଯାଳୟ ଠାରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମ୍ ଚରଣଙ୍କୁ ୨୦ ହଜାର ଟଙ୍କା କେମିକାଲ ଲଗାଇ ଦେଇଥିଲେ। ଏହି ଟଙ୍କା ନେଇ ଚରଣ ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ଅଫିସ ରୁମ୍ରେ ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ପରେ ଭିଜିଲାନ୍ସ ଟିମ୍ ତାଙ୍କ କ୍ବାର୍ଟର୍ସକୁ ଯାଇ ଯାଞ୍ଚ କରିଛି।