Categories: କଟକ

ଗୋଚର ଜମି ଜବରଦଖଲ, ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି,୨୯ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଞ୍ଚାୟତରେ  ଗୋଚର ଜମିକୁ ଜବରଦଖଲ କରାଯାଇଛି। ଏଠାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶନିବାର ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ଦିଆଯାଇଛି। ଓରତି ପଞ୍ଚାୟତର ୩ଟି ରାଜସ୍ବ ଗ୍ରାମର ଗ୍ରାମବାସୀ ଏହି ଘଟଣାକୁ ନେଇ ରାଜସ୍ବ ସଚିବ, କମିଶନ ମାନବ ଅଧିକାର ଓ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ବାଧ୍ୟ ହୋଇ ସେମାନେ ଆଜି ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ। ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଧାରଣା ଜାରି ରହିବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଏପଟେ ଅତିରିକ୍ତ ତହସିଲଦାର କହୁଛନ୍ତି ଅଭିଯୋଗ ପାଇଲା ପରେ ଆମେ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇ କାର୍ଯ୍ୟଟିକୁ ବନ୍ଦ କରିଦେଇଛୁ।

ସୂଚନାନୁଯାୟୀ କିପରି ପ୍ରଶାସନର ଆଢୁଆଳରେ ଏହି ଗୋଚର ଜମିରେ କାର୍ଯ୍ୟଟି କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଧାରଣା ଭାଜପା ମଣ୍ଡଳ ସଭାପତି ଅଶୋକ ସାହୁ,ପୂର୍ବତନ ଅଧ୍ୟକ୍ଷ ପଞ୍ଚାୟତ ସମିତି ନିଶ୍ଚିନ୍ତକୋଇଲି କମଳା ବସ୍ତିଆ,ବସନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ତହସିଲଦାର ବନାନୀ ମହାପାତ୍ର କୁହନ୍ତି ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ଆସିବା ପରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।