ତହସିଲ ଅଜାଣତରେ ସିଟିଓ ଦିଆଯାଇଥିଲା

ସମ୍ବଲପୁର,୨୦ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ନୀଡୁଙ୍ଗୁରୀଠାରେ ପାଉଁଶ ଡମ୍ପିଂ ଯୋଗୁ ଉପୁଜୁଥିବା ସମସ୍ୟା ନେଇ ଜୁନ ୧୨ରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟରେ ଖବର ପ୍ରକାଶ ପାଇଥିଲା। ଏହାପରେ ଜନପ୍ରତିନିଧି ଓ ପ୍ରଶାସନ ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିଲା। ଯୁଯୁମୁରା ତହସିଲଦାର ଅଭିଷେକ ସାହୁ ହିଣ୍ଡାଲ୍‌କୋ କମ୍ପାନୀ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖି ସମସ୍ତ ତଥ୍ୟ ଦେବାକୁ କହିଥିଲେ। ୩ଦିନ ପରେ ସୋମବାର ପୁଣି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପତ୍ର ସଂଖ୍ୟା ୧୬୨୦/୨୩ରେ ଚିଠି ଲେଖି ନୀଳଡୁଙ୍ଗୁରୀରେ ପାଉଶଁ ଡମ୍ପିଂୟାର୍ଡ ପାଇଁ ଦିଆଯାଇଥିବା ଅନୁମତି (ସିଟିଓ) ବାତିଲ କରିବାକୁ କୁହାଯାଇଛି।
ଚିଠିରେ ଉଲ୍ଲେଖ ରହିଛି, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସରୁ ୨୦୨୩ ମେ ୧୦ରେ ହିଣ୍ଡାଲ୍‌କୋ କମ୍ପାନୀକୁ ନୀଳଡୁଙ୍ଗୁରୀ ମୌଜାରେ ପାଉଁଶ ଡମ୍ପିଂୟାର୍ଡ କରିବାକୁ ସିଟିଓ ଦିଆଯାଇଛି। ହେଲେ ଏ ନେଇ ତହସିଲ ଅଫିସରୁ ଅନୁମୋଦନ ନିଆଯାଇ ନାହିଁ। ତହସିଲ ଅଜଣାତରେ ହୋଇଥିବାରୁ ଏହି ସିଟିଓ ବାତିଲ କରାଯାଉ। ତହସିଲଦାର ସାହୁଙ୍କ ଏହି ଚିଠି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟକଳାପକୁ ପଦାରେ ପକାଇଛି। ଏଭଳି ଅନେକ ସ୍ଥାନରେ ପାଉଁଶ ଡମ୍ପିଂୟାର୍ଡ ସର୍ତ୍ତାବଳୀ ପାଳନ କରୁ ନ ଥିବା ଅଭିଯୋଗ ହୋଇଆସୁଛି। ପ୍ରଦୂଷଣ ବୋର୍ଡ ଠିକ୍‌ ଭାବେ ଯାଞ୍ଚ କଲେ ଅନେକ କମ୍ପାନୀର ସିଟିଓ ବାତିଲ ହେବ ବୋଲି ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ନୀଳଡୁଙ୍ଗୁରୀରେ ପାଉଁଶ ଡମ୍ପିଂକୁ ନେଇ ବିବାଦ ଲାଗିରହିଛି। ଡମ୍ପିଂ ଯୋଗୁ ନୀଳଡୁଙ୍ଗୁରୀ, କୁଡାପଡା, ବାଡାପଡା, ପଇଦାମାଳ, ବେଲଡୁଙ୍ଗୁରୀ, ତୁରିପଡା, କୁଟୁରାଜୁରୀ, ବାହାମ, ମାଲିପଡା ଭଳି ଏକାଧିକ ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି। ଗ୍ରାମବାସୀ ଏହାକୁ ବିରୋଧ କରି ଜିଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଖରେ ଅଭିଯୋଗ କରି ଏହାକୁ ବନ୍ଦ ପାଇଁ ଦାବି କରିଥିଲେ। ଯୁଯୁମୁରା ତହସିଲଦାର ସାହୁ ମଧ୍ୟ ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ବୋର୍ଡ, କମ୍ପାନୀ, ସଦର ପୋଲିସକୁ ଚିଠି କରି ପାଉଶଁ ପକାଇବା ପାଇଁ ଦିଆଯାଇଥିବା ଅନୁମତି ନିର୍ଦ୍ଦେଶ ସହ କାଗଜପତ୍ର ଅଫିସରେ ଦାଖଲ କରିବାକୁ କହିଥିଲେ।

Share